ଉପକ୍ରମ
ଓଡ଼ିଶା ବିଶେଷ ଭାବେ ଏକ ଗ୍ରାମୀଣ ଓ କୃଷି ଅର୍ଥନୀତି ଭିତ୍ତିକ ରାଜ୍ୟ । ଏହାର ଜନସଂଖ୍ୟାର ପାଖାପାଖି ଶତକଡା ୮୩ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ପ୍ରାୟ ଶତକଡା ୬୧.୮ ଭାଗ ଲୋକବଳ କୃଷି କ୍ଷେତ୍ରରେ ନିୟୋଜିତ ଥାଆନ୍ତି । ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଏମାନଙ୍କର ଅବଦାନ ପ୍ରାୟ ଶତକଡା ୧୮ ଭାଗ । ଜାତୀୟ ମୋଟ ଘରୋଇ ଉତ୍ପାଦକୁ ଓଡ଼ିଶାର ଅବଦାନ ପ୍ରାୟ ଶତକଡା ୩ ଭାଗ ।
ଏହି ଶତାବ୍ଦୀର ପ୍ରାରମ୍ଭରୁ ବିଗତ ୧୬ ବର୍ଷ ମଧ୍ୟରେ (୨୦୦୦-୨୦୦୧ ରୁ ୨୦୧୬-୧୭) ଓଡ଼ିଶାର ମୋଟ ଘରୋଇ ଉତ୍ପାଦ ପ୍ରକୃତ ପକ୍ଷରେ ଦ୍ୱିଗୁଣିତ ହୋଇଛି । ଏହି ସମୟରେ ରାଜ୍ୟର ଅଭିବୃଦ୍ଧି ହାର ବାର୍ଷିକ ଶତକଡା ୪.୫ ଭାଗ ଏବଂ ଏହା ଜାତୀୟ ବାର୍ଷିକ ଅଭିବୃଦ୍ଧି ହାର ୩.୧ ଭାଗ ରୁ ଅଧିକ ରହିଛି ।
ଓଡ଼ିଶାର କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ହାରାହାରି ଉତ୍ପାଦନ ପ୍ରାୟ ୭୫,୮୦୦ କୋଟି ଟଙ୍କା ହେବ । ଏହାର ଅର୍ଦ୍ଧାଧିକ ପ୍ରାୟ ୪ଗୋଟି ଉତ୍ପାଦ ଯଥା ଧାନ, ମାଂସ, ଦୁଗ୍ଧ ଓ ବାଇଗଣରୁ ଆସିଥାଏ । ଏଥି ମଧ୍ୟରୁ ଶତକଡା ୨୪.୪୦ ପ୍ରତିଶତ ଧାନରୁ, ୧୧.୩୦ ପ୍ରତିଶତ ମାଂସରୁ, ୯.୧୦ ପ୍ରତିଶତ ଦୁଗ୍ଧରୁ ଓ ୬.୮୦ ପ୍ରତିଶତ ବାଇଗଣରୁ (ପନିପରିବାର ମୋଟ ଭାଗିଦାରୀ ୨୫.୩୦ ଭାଗ) ଆସିଛି ।
୨୦୧୫-୧୬ରେ ଓଡି଼ଶାରେ କୃଷକଙ୍କର ହାରାହାରି ବାର୍ଷିକ ଆୟ ୭୭୩୧ ଟଙ୍କା ଥିଲା । ଏହି ଆୟ ୨୦୦୨-୦୩ ବର୍ଷରେ ୧୦୬୨ ଟଙ୍କା ଥିଲା । ୨୦୦୨-୦୩ ରୁ ୨୦୧୫-୧୬ ମଧ୍ୟରେ ଏହି ୧୩ ବର୍ଷରେ ଓଡ଼ିଶାର କୃଷକଙ୍କ ଆୟ ବୃଦ୍ଧି ଭାରତ ବର୍ଷରେ ସର୍ବାଧିକ ହୋଇଛି ଓ ଏପରିକି ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦ ବୃଦ୍ଧି ଠାରୁ ଆହୁରି ଦ୍ରୁତ ବୃଦ୍ଧି ପାଇଛି ।
ବିଗତ ବର୍ଷ ମାନଙ୍କରେ ଏହି ବୃହତ୍ ଉପଲବ୍ଧିକୁ ‘ସମୃଦ୍ଧି – କୃଷି ନୀତି-୨୦୨୦’ରେ ପ୍ରାଧାନ୍ୟ ଦିଆଯାଉଛି। ଏହି କୃଷି ନୀତିରେ କୃଷକ, ଭାଗଚାଷୀ, ଭୂମିହୀନ କୃଷକପରିବାରଙ୍କ ସାମାଜିକ ଓ ଅର୍ଥନୈତକି ସ୍ୱଚ୍ଛଳତା ନିମନ୍ତେ ପରିବାରଙ୍କୁ ଗୁରୁତ୍ୱ ଦିଆଯାଉଛି । ଏକ ସ୍ଥାୟୀ ଓ ବାସ୍ତବ, ପରିବେଶ ଅନୁକୁଳ, ଅର୍ଥନୈତିକ ଓ ବୈଷୟିକ ଜ୍ଞାନ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ ନିମନ୍ତେ କୃଷି କ୍ଷେତ୍ରରେ ଥିବା ବ୍ୟାପକ ଅବ୍ୟବହୃତ କ୍ଷମତା ବାସ୍ତବରେ ପରିଣତ କରାଇବା ଲକ୍ଷ୍ୟ ରହିଛି ।
ଓଡିଶାର ପୂର୍ବ କୃଷିନୀତି
୧୯୯୬ ମସିହାରେ ଓଡ଼ିଶା ସରକାର ତାର ପ୍ରଥମ କୃଷିନୀତି ଘୋଷଣା କରିଥିଲେ । ଏହି କୃଷିନୀତି କୃଷିକୁ ଶିଳ୍ପର ମାନ୍ୟତା ଦେଇଥିଲା । କୃଷି କ୍ଷେତ୍ରରେ ଶତକଡା ୪ ଅଭିବୃଦ୍ଧି ଓ ଚିରସ୍ଥାୟୀ କୃଷି ବିକାଶ, ସମନ୍ୱିତ କୃଷି, ଜୈବ କୃଷି, କୃଷି ପ୍ରକ୍ରିୟାକରଣ ଓ କୃଷି ସଂପ୍ରସାରଣର ପୁର୍ନବିନ୍ୟାସ ମାଧ୍ୟମରେ କୃଷକଙ୍କର ଆର୍ଥିକ ସ୍ଥିତିର ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇ ୨୦୦୮ ମସିହାରେ ଦ୍ୱିତୀୟ କୃଷି ନୀତି ପ୍ରଣୟନ କରାଯାଇଥିଲା । କୃଷକଙ୍କ ଆୟବୃଦ୍ଧି ଓ ସାମାଜିକ ମଙ୍ଗଳକୁ ସର୍ବାଧିକ ଗୁରୁତ୍ୱ ଦେବା ନିମନ୍ତେ ତୃତୀୟ କୃଷିନୀତି ୨୦୧୩ ମସିହାରେ ପ୍ରଣୟନ କରାଗଲା । ରାଜ୍ୟ ସରକାର ତାଙ୍କର ଚତୁର୍ଥ କୃଷିନୀତି ୨୦୨୦ ପ୍ରକାଶ କରିଛନ୍ତି । ଯେଉଁଥିରେ କୃଷି ବିଭାଗର ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ।
କୃଷି ନୀତିର ଲକ୍ଷ୍ୟ
କୃଷକମାନଙ୍କ ମଙ୍ଗଳ, ନିରନ୍ତର ଆୟବୃଦ୍ଧି ଓ ନିଶ୍ଚିତ ପୁଷ୍ଟିସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଓଡିଶାର କୃଷି କ୍ଷେତ୍ରରେ ସମ୍ଭାବନାକୁ ପରିସ୍ଫୁଟନ କରିବା ବର୍ତ୍ତମାନ କୃଷିନୀତିର ମୂଳ ଲକ୍ଷ୍ୟ ।
କୃଷି ନୀତିର ଉଦ୍ଦେଶ୍ୟ
ଏହି କୃଷି ନୀତି କୃଷକମାନଙ୍କ ମଙ୍ଗଳ ନିମିତ୍ତ ଉଦ୍ଦିଷ୍ଟ ଏବଂ ଆଗାମୀ ପାଞ୍ଚ ବର୍ଷରେ ନିମ୍ନଲିଖିତ ଉଦ୍ଦେଶ୍ୟ ସାଧନ ଉପରେ ଗୁରୁତ୍ୱ ପ୍ରଦାନ କରୁଛି ;
- କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା
- କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଅନ୍ତର୍ଭୁକ୍ତ ମୂଳକ ବିକାଶ ପ୍ରକ୍ରିୟାକୁ ସୁଦୃଢ କରିବା
- କୃଷି ଅଭିବୃଦ୍ଧିର ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ ପ୍ରକ୍ରିୟାକୁ ନିଶ୍ଚିତ କରାଇବା ।
କୃଷି ନୀତିର ଅଷ୍ଟସ୍ତମ୍ଭ
ଏହି କୃଷି ନୀତିରେ ବିଭାଗଭିସମୃଦ୍ଧି – କୃଷି ନୀତି ୨୦୨୦ତ୍ତିକ ଯୋଜନା ଏହି ଅଷ୍ଟସ୍ତମ୍ଭ ‘ସମୃଦ୍ଧି’ ଉପରେ ପର୍ଯ୍ୟବେସିତ
ଓଡ଼ିଶାର କୃଷି ଲକ୍ଷ୍ୟ ସାଧନର ପ୍ରମୁଖ ଉପାଦାନ
ଓଡିଶା କୃଷି ଲକ୍ଷ୍ୟ ସାଧନ ପାଇଁ ପ୍ରମୁଖ ଉପାଦାନ ଗୁଡିକ ହେଲା (SAMRUDHI)
- S – ଉଦ୍ଦେଶ୍ୟ ସାଧନ ନିମନ୍ତେ ବିଜ୍ଞାନ (Science) ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ
- A – ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା (Adaptation)
- M – କୃଷି ଉତ୍ପାଦ ପାଇଁ ବଜାର (Market) (ଘରୋଇ ଓ ଆର୍ନ୍ତଜାତିକ), ଭୌତିକ ଓ ଅର୍ଥନୈତିକ, ବର୍ତ୍ତମାନ ଓ ଭବିଷ୍ୟତ ପାଇଁ କୃଷି ବଜାର
- R – ଉତ୍ପାଦକତା ବୃଦ୍ଧି ନିଶ୍ଚିତ କରିବା ନିମନ୍ତେ ସମ୍ବଳ (Resource)ର ସୁବିନିଯୋଗ
- U – ବ୍ୟାପକ (Upscaling) ଭିତ୍ତିଭୂମି (Infrastructure) ନିର୍ମାଣ
- D – ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ନିମନ୍ତେ ଫସଲ ବିବିଧିକରଣ (Diversification)
- H – ମାନବସମ୍ବଳ (Human Resource) ର ଉନ୍ନତି ଓ ଦକ୍ଷତା ବିକାଶ
- I – ଅନୁଷ୍ଠାନଗୁଡିକୁ (Institutions) ସୁଦୃଢ କରିବା
ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ଲକ୍ଷ୍ୟରେ କୃଷିନୀତି ପ୍ରଣୟନ ନକରି ସମାନ୍ତରାଳ ଓ ପ୍ରଗତିଶୀଳ ଭାବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବା ଏହି କୃଷିନୀତିର ଲକ୍ଷ୍ୟ ଅଟେ ।
Help
9861119317
What type of help U need?