
ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀ ବା ଗିଲୋଇର ବ୍ୟବହାର ବହୁ ପ୍ରାଚୀନକାଳରୁ ହୋଇଆସୁଛି। ବର୍ଷା ଆରମ୍ଭ ହେବା ପରେ ଚାରା ଲଗେଇଲେ ଗଛ ଭଲରେ ବଢିଥାଏ ।ଗୁଳୁଚୀ ଏକ ବହୁବର୍ଷୀୟ , ଚିକ୍କଣିଆ, ମାଂସାଳ ଲତାଜାତୀୟ ଉଦ୍ଭିଦ । କରୋନା ସମୟରେ ଏହାର ଉପଯୋଗୀ ବହୁତ ରହିଛି ।ଏହାର ଅନେକ ଔଷଧୀୟ ଗୁଣ ରହିଛି ।ଏହାର କାଣ୍ଡ ,ଚେର,ପତ୍ର କୁ ଔଷଧ ରୂପେ ବ୍ୟବହାର କରାଯାଏ।ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ, ମୁତ୍ରଜନନ ଚର୍ମରୋଗ ଇତ୍ୟାଦି ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ବିଷମଜ୍ଵର ବା ମ୍ୟାଲେରିଆ ଏବଂ ଯେ କୌଣସି ପୁରୁଣା ଜ୍ଵରରେ ଏହାର କ୍ଵାଥ ସେବନ କରାଯାଏ । ଜୀର୍ଣ୍ଣଜ୍ଵରରେ ଏହାର କ୍ଵାଥରେ ଛୋଟ ପିପ୍ପଳୀ କିମ୍ବା ମହୁ ମିଶାଇ ସେବନ କରାଯାଏ । ଏହାଦ୍ଵାରା ଜ୍ଵର, କଫ ପ୍ଳୀହୀ ବୃଦ୍ଧି ଏବଂ ଅରୁଚି ଆଦି ବିକାର ଦୂର ହୋଇଥାଏ । ପ୍ରମେହ ଓ ମୁତ୍ର ରୋଗରେ ଏହାର ସ୍ବରାସ ପ୍ରୟୋଗ କରାଯାଏ।ଏହାର କଞ୍ଚା କାଣ୍ଡ ତ୍ଵକରେ ଗିଲୋଇନ ନାମକ ଗ୍ଲୁକୋସାଇଡ , ଗିଲୋଇନିନ ନାମକ ତିକ୍ତ ପ୍ରଦାର୍ଥ ତଥା ଗିରୋସ୍ଟେରଲ ମିଳିଥାଏ I

ଭାରତୀୟ ଜଳବାୟୁ ଗୁଳୁଚିଲତା ଚାଷ କରିବା ପାଇଁ ଉପଯୁକ୍ତ ଅଟେ । ବିଶେଷତଃ ଉଷ୍ଣ ଓ ଆଦ୍ର ଜଳବାୟୁରେ ଏହି ଗଛ ଭଲ ବଢିଥାଏ । ଏହା ସମସ୍ତ ପ୍ରକାର ମାଟିରେ ହୋଇପାରିବ । ତେବେ ହାଲକା ମାଟି ଏହାର ଚାଷ ପାଇଁ ଅଧିକ ଉପଯୋଗୀ ଅଟେ ।ଏହି ଗଛକୁ ଘରେ କୁଣ୍ଡରେ ଲଗେଇପାରିବେ ଏବଂ ବହୁତ ଉପକୃତ ହେବେ ।ଗୁଳୁଚି ଲତା ଚାଷ ପାଇଁ ଏପ୍ରିଲ ମେ ମାସରେ ଜମିରେ ଗାତ ଖୋଳାଯାଇ ସେଥିରେ ଗୋବର ଖତ ଓ ନିମ ପିଡ଼ିଆ ମିଶାଇ ଭର୍ତ୍ତି କରାଯାଏ।ଜୁଲାଇ ଅଗଷ୍ଟ ମାସରେ ପ୍ରସ୍ତୁତ ଚାରାଗୁଡିକ ରୋପଣ କରାଯାଏ । ଗୁଳୁଚୀ ଲତାର ବୃଦ୍ଧି ନିମନ୍ତେ ରଞ୍ଜା ଦେବା ବ୍ୟବସ୍ଥା କରିବା ଉଚିତ । ବର୍ଷାଋତୁ ପରେ ୨୫-୩୦ ଦିନ ବ୍ୟବଧାନରେ ପାଣି ଦେବା ଉଚିତ।ଏହି ଗଛ ରେ ରୋଗ ପୋକ ଦେଖାଯାଏନାହିଁ ।ବର୍ଷାଋତୁରେ ଗୁଳୁଚୀ ଲତାରେ ବହୁତ ପତ୍ର ହୁଏ । କିନ୍ତୁ ଶୀତ ଋତୁରେ ପତ୍ର ସବୁ ଝଡିଯାଏ , କେବଳ ପାକଳ ଡାଳଗୁଡିକରେ ଲାଗି ରହିଥାଏ ।ଗଛ ର ମୂଳରୁ ୩୦ ସେ.ମି ଛାଡ଼ି ଡାଳକୁ କାଟିବ ଉଚିତ। ଜାନୁଆରୀ , ଫେବୃୟାରି , ମାର୍ଚ୍ଚରେ ଗୁଳୁଚୀ ଗଛର ପତ୍ରବିହୀନ ଡାଳ ଗୁଡିକୁ ଛୋଟ ଛୋଟ କରି କାଟି ସଂଗ୍ରହ କଲେ ଏହାର ଔଷଧୀୟ ଗୁଣାତ୍ମକମାନ ଅଧିକ ମିଳେ ଏବଂ ଡାଳ ଗୁଡିକୁ ଖରାରେ ଶୁଖାଇ ରଖାଯାଏ।ଗଛରେ ରହିଯାଇଥିବା ମୂଳରୁ ଆସନ୍ତା ବର୍ଷର ବର୍ଷାଋତୁରେ ନୂତନ ଡାଳ, ପତ୍ର ବାହାରିଥାଏ ।
