
ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ଋତୁରେ ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି । ଆମ ରାଜ୍ୟରେ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି କିନ୍ତୁ ଆମର ହାରାହାରି ଅମଳ ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ ।
କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ ସେଲ୍ସିୟସ୍ ଉତ୍ତାପ ଅନୁଭୂତ ହେଉଥିବା ଅଞ୍ଚଳ ଏହି ଫସଲ ପାଇଁ ସର୍ବୋକୃଷ୍ଟ। ଗଭୀର ପଟୁ, ପଟୁମଟାଳ, ଦୋରସା ଏବଂ କୃଷ୍ଣକାର୍ପାସ ମାଟିରେ କପା ଫସଲ ଭଲ ଭାବେ ବଢ଼ିଥାଏ । ଖାଲୁଆ ଏବଂ ପାଣି ଜମି ରହୁଥିବା ଅଞ୍ଚଳ କପାଚାଷ ପାଇଁ କ୍ଷତିକାରକ । ଜମି କୁ ଅଧିକ ପରିମାଣର ଗୋବର ଖତ ବା କମୋଷ୍ଟ ଅନୁମୋଦିତ ପରିମାଣରେ ପ୍ରୟୋଗ କରି ମାଟିର ଭୌତିକ ମାନ ଠିକ୍ ରଖୁବାକୁ ହେବ । ତା ସହିତ ଜଳସେଚନ ଥିବା ବାଲିଆ ମାଟି କପାଚାଷ ପାଇଁ ନିହାତି ଜରୁରୀ ।
ଜୁନମାସ ହେଉଛି କପା ବୁଣିବାର ପ୍ରକୃଷ୍ଟ ସମୟ । ଯଦି ମୌସୁମୀ ବର୍ଷା ନ ହୋଇଥାଏ ତା’ ହେଲେ ପ୍ରାକ୍ ମୌସୁମୀ ବର୍ଷାକୁ ଆଧାର କରି ଜୁନ୍ ମାସ ମଧ୍ୟରେ କପା ବୁଣି ସାରିବା ଆବଶ୍ୟକ । ମୌସୁମୀ ବାୟୁ ପ୍ରବାହର ଠିକ୍ ପୂର୍ବରୁ ପ୍ରଥମ ମୌସୁମୀ ବର୍ଷାପରେ ଶୁଖିଲା ପାଗ ଦେଖି ବିହନ ବୁଣା ସାରିଦେବା ଉଚିତ୍ ।
କପା ଫସଲରେ ପୋକ ଏବଂ ରୋଗର ଆକ୍ରମଣ ସବୁ ଠାରୁ ଅଧିକ । ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଜମି ପ୍ରସ୍ତୁତିକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ପ୍ରାକମୌସୁମୀ ବର୍ଷାପାଣିକୁ ଉପଯୋଗ କରି ଗଭୀର ଖରାଟିଆ ଚାଷ କରାଯାଇଥିଲେ ହିଡ଼ କଡ଼ରେ ଏବଂ ମାଟି ଭିତରେ ଥିବା ରୋଗ ସୃଷ୍ଟିକାରୀ ଅଣୁଜୀବ ଓ ପୋକ ମାନଙ୍କରେ ଅଣ୍ଡାସବୁ ନଷ୍ଟ ହୋଇଯାଏ ଏବଂ ପରବର୍ତ୍ତୀ ସମୟରେ ଫସଲରେ ତାହାର ପ୍ରାଦୁର୍ଭାବ ମଧ୍ୟ ବେଶି ଦେଖାଯାଇ ନଥାଏ । ମାଟି ଗୁଣ୍ଡ କରି ମଶ ଦେଇ ସମତୁଲ କରିବା ଆବଶ୍ୟକ । ମାଟିରେ ଉଈର ସଂକ୍ରମଣର ଆଶଙ୍କା ଥିଲେ, କ୍ଲୋରୋପାଇରିଫସ୍ ଜାତୀୟ ଗୁଣ୍ଡକୁ ଏକର ପ୍ରତି ୧୦ କିଲୋଗ୍ରାମ୍ ହିସାବରେ ମାଟିରେ ମିଶାଇ ଦିଆଯିବା ଜରୁରୀ ।
ପରବର୍ତ୍ତୀ ପର୍ଯ୍ୟାୟ ରେ କପା ଚାଷ ଉପରେ ଆଗକୁ ଅଧିକ ଆଲୋଚନା କରିବା ।
କପାଚାଷରେ କେତେଗୁଡିଏ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ……….
ପୋକ ଓ ରୋଗ ସଂକ୍ରମଣକୁ ସହିପାରୁଥିବା ଉନ୍ନତ କିସମର ବ୍ୟବହାର କରିବା ଦରକାର।
ଅଗଭୀର ମାଟି ଥିବା ଅଞ୍ଚଳ ମାନଙ୍କ ପାଇଁ ଉନ୍ନତ କିମ୍ବା ସଙ୍କର କିସମର ଅଭାବକୁ ପୂରଣ କରିବା ଉଚିତ।
ମୌସୁମୀ ବର୍ଷାର ଅନିୟମିତତା ଦେଖାଦେଲେ କୃଷି ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ବିହନ ବୁଣା କାମ କରିବା ଉଚିତ।
ବିହନ ବିଶୋଧନ ପ୍ରକ୍ରିୟାର ଉପଯୋଗ ହେବା ଦ୍ଵାରା ସଂକ୍ରମଣ ଅଧିକ ହେବ ନାହିଁ।
ଅନୁମୋଦିତ ଗଛସଂଖ୍ୟା ରହିଲେ ଅମଳ କମିବ ନାହିଁ ।
ଠିକ୍ ସମୟରେ ଅନ୍ତଃଚାଷ କରିବା ଏବଂ ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ସମନ୍ଵିତ ରୋଗ ଓ ପୋକ ପରିଚାଳନା ବ୍ୟବସ୍ଥାର ବ୍ୟବହାର ଠିକ୍ ଭାବେ ହେବା ଦରକାର ।
ଏହି ବ୍ୟବସାୟିକ ଚାଷ ସମ୍ପର୍କରେ ଅଧିକରୁ ଅଧୂକ ତାଲିମ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଜରୁରୀ ।
କିନ୍ତୁ ବର୍ତ୍ତମାନ କପାଚାଷ ପାଇଁ ଅନେକ ଉନ୍ନତ ମାନର କିସମ ଉପଲବ୍ଧ ହେଲାଣି ଏବଂ ନୂଆ ନୂଆ କୃଷି କୌଶଳ ମଧ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁଛି । ଚାଷୀଭାଇ ସେଗୁଡ଼ିକର ସଦ୍ବ୍ୟବହାର କରିପାରିଲେ, କପାଚାଷ କ୍ଷେତ୍ରରେ ଅଧିକ ଅମଳ ଓ ଆଦାୟ ପାଇପାରିବେ ।ଆପଣଙ୍କ ଅଂଚଳରେ ବର୍ଷା ହୋଇଯାଇଥିଲେ ଗଭୀର ଖରାଟିଆ ଚାଷ କରିବା ପରେ କପା ଚାଷ କରିବା ଉଚିତ ।
ଏମ୍.ସି.ୟୁ.-୫ ଉନ୍ନତ କିସମ ହୋଇଥିଲା ବେଳେ ବନି ଏବଂ ସବିତା ସଙ୍କର ଜାତୀୟ କିସମ । ଏହି ୩ଟି ମୁଖ୍ୟ କିସମର କପା ଆମ ରାଜ୍ୟରେ ଚାଷୀମାନେ ବହୁଳଭାବେ ଚାଷ କରିଥାନ୍ତି ।
ଧାଡ଼ିରେ ବୁଣା କରିବା,ବିହନର ପରିମାଣ ଠିକ୍ ରଖିବା, ବିହନକୁ ସଠିକ୍ ଗଭୀରତାରେ ପୋତିବା ଏବଂ ସର୍ବୋପରି ଠିକ୍ ସମୟରେ ବୁଣିବା ଦ୍ଵାରା ପ୍ରତି ବର୍ଗମିଟରରେ ଠିକ୍ ଗଛ ସଂଖ୍ୟା ରଖାଯାଇ ପାରିଲେ ଅମଳ ଅଧିକ ହୋଇଥାଏ ଅର୍ଥାତ୍ ଅଧିକ ଅମଳ ପାଇବାର ପ୍ରଥମ ଚାବିକାଠି ହେଉଛି ଆବଶ୍ୟକୀୟ ଗଛସଂଖ୍ୟା ।
ବକରା ଗୁଡ଼ିକ ଫାଟିବା ପରେ ଏହାକୁ ତୋଳିଦେବା ଆବଶ୍ୟକ । ୩-୪ ଥର କପା ତୋଳିଲା ସମୟରେ ଶୁଖିଲା ପତ୍ର, କାଠି ଆଦି ଅଲଗା ବାହାର କରିଦେବା ଦରକାର । କପା ତୋଳି ସାରିଲାପରେ ଏହାକୁ ଖରାରେ ୨୪ ଘଣ୍ଟା ଶୁଖାଇ ସାଇତି ରଖିବା ଉଚିତ୍ ।
ମନ୍ଦାକରି କପା ଲଗାଇଲେ ଭଲ । ଉନ୍ନତ କିସମ ପାଇଁ ଧାଡିକୁ ଧାଡ଼ି ୯୦ ସେ.ମି. ଓ ଗଛକୁ ଗଛ ୬୦ ସେ.ମି. ବ୍ୟବଧାନ ଏବଂ ସଙ୍କର ଜାତୀୟ କିସମ ପାଇଁ ଧାଡିକୁ ଧାଡ଼ି ଏବଂ ଗଛକୁ ଗଛ ଉଭୟ ୯୦ ସେ.ମି. ବ୍ୟବଧାନ ରଖି ଆବଶ୍ୟକୀୟ ପରିମାଣର ଖତ, ସାର ସହ ୨ଟି ମଞ୍ଜି ୫ ସେ.ମି. ଗଭୀରତାରେ ପୋତିବା ଉଚିତ୍ ।
ମଞ୍ଜି ଲଗାଇବାର ୨୧ ଦିନ ପରେ ପ୍ରତି ମନ୍ଦାରେ ଗୋଟିଏ ଲେଖାଏଁ ଭଲ ଗଛ ରଖି ଅନ୍ୟଟିକୁ ଉପାଡ଼ି ଦେବା ଦରକାର । ଏହା ଦ୍ଵାରା ଗଛକୁ ଦରକାର ମୁତାବକ ଖାଦ୍ୟ, ଆଲୋକ ଏବଂ ଶାଖା ବଢ଼ିବା ପାଇଁ ସୁବିଧା ହୋଇଥାଏ । ଅନ୍ୟପକ୍ଷରେ ହୁଡ଼ାଦେବା ଓ ଘାସ ବାଛିବା ବେଶ ସୁବିଧାଜନକ ଭାବରେ ଚାଷୀ କରିପାରିଥାନ୍ତି । ଜମି ରେ ମଞ୍ଜି ଲଗାଇବା ସମୟରେ ଅନ୍ୟ ଏକ ସ୍ଥାନରେ ପଲିଥିନ ଜରିରେ ଅଧିକ ଚାରା ଉତ୍ତାରି କରି ରଖିଥିଲେ, ଜମି ରେ ଯେଉଁଠି ଗଛ ଉଠି ନଥିବ, ସେଠାରେ ଖୁଞ୍ଚା (Gap filling) କରାଯାଇ ପାରିବ ।