ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ

ଆମ ରାଜ୍ୟ ଓଡ଼ିଶାର ଆର୍ଥିକ ପ୍ରଗତିରେ ଗୋପାଳନର ଭୂମିକା ଅତୁଳନୀୟ । ଏହି ଗୋପାଳନ ଆଜି ର ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ କର୍ମ ନିଯୁକ୍ତିର ଏକ ନୂତନ ସମ୍ଭାବନା ସୃଷ୍ଟି କରିଅଛି ଓଡ଼ିଶାର ଶତକଡ଼ା ୮୦ ଭାଗ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର। ସେମାନେ ଆଜିର ସମୟରେ ଚାଷପାଇଁ ଉପଲବ୍ଧ ଥିବା ଯାନ୍ତ୍ରିକ ଜ୍ଞାନ କୌଶଳ ଠାରୁ ବହୁ ଦୂରରେ। ବାଷୀଭାଇମାନେ ସିଧାସଳଖଭାବେ ଦେଶୀ ବଳଦମାନଙ୍କୁ ଜମିରେ ହଳ କରିବା ପାଇଁ ବ୍ୟବହାର କରିବା ସହ ଦୁଗ୍ଧ ଉତ୍ପାଦନ ପାଇଁ ନିଜ ଘରେ ଗୋଟିଏ କିମ୍ବା ଦୁଇଟି ଗାଈ ମଧ୍ୟ ରଖୁଥାନ୍ତି ଅଧିକାଂଶ ଗାଈମାନେ ମୁଖ୍ୟତଃ ଦେଶୀ ପ୍ରଜାତିର ଅଟନ୍ତି ।

ଭାରତରେ ଦେଖା ଯାଉଥିବା ୩୯ ପ୍ରଜାତିର ଗାଈ ମାନଙ୍କ ମଧ୍ୟରୁ ବିଂଝାରପୁରୀ ଅନ୍ୟତମ ଅଟେ । ଏହା ସାଧାରଣତଃ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଓ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳେ । ଆଜିର ସମୟରେ କୃତ୍ରିମ ପ୍ରଜନନ ପଦ୍ଧତିରେ ବହୁଳ ବ୍ୟବହାର ସତ୍ତ୍ଵେ ମଧ୍ୟ ଏହି ପ୍ରଜାତି ଦୀର୍ଘଦିନ ଧରି ନିଜସ୍ୱ ଅନୁବଂଶୀୟ ଗୁଣବତ୍ତା ବଜାଇ ଅଛି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ, ବିଂଝାରପୁରୀ ପ୍ରକାରର ଉପଯୋଗୀତା ଆଞ୍ଚଳିକ ପରିସ୍ଥିତିରେ ଲାଭଦାୟକ ଅଟେ । ଏହି ପ୍ରଜାତିର ଦୁଗ୍ଧ ଉତ୍ପାଦନ ଶକ୍ତି, ହଳ କରିବାର କ୍ଷମତା ଓ ସର୍ବୋପରି ଦୈନିକ କମ୍ ଖର୍ଚ୍ଚରେ ପରିପାଳନ କରାଯିବା ହେତୁ ସ୍ଥାନୀୟ ଅଞ୍ଚଳରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି । ବେଶୀୟ ପ୍ରଜାତି ହୋଇଥିବାରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି, ଉଚ୍ଚ ତାପମାତ୍ରା ସହିଷ୍ଣୁତା ତଥା ପ୍ରତିକୂଳ ପରିବେଶରେ ଖାପଖୁଆଇ ଚଳିବା ସହ ଉତ୍ପାଦନ କ୍ଷମତା ବଜାଇ ରଖିବା ଆଦି ଏହି ପ୍ରଜାତିର ବିଶେଷତ୍ୱ ।

ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ (college of Veterinary Science and Animal Husbandry, OUAT) ଏବଂ ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗର (Animal Resource Development) ମିଳିତ ଉଦ୍ୟମ ଫଳରେ ଏହି ପ୍ରଜାତି ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଛି ଓ ଏଥି ସହିତ ଜାତୀୟ ସ୍ତରରେ ରାଷ୍ଟ୍ରୀୟ ପଶୁ ଅନୁବଂଶୀକ ସଂସ୍ଥାନ ଏହି ପ୍ରକାତିକୁ ଏକ ଦେଶୀୟ ପ୍ରଜାତି ଭାବରେ ସ୍ଵୀକୃତି ପ୍ରଦାନ କରିଛି।


ତ୍ପତ୍ତିସ୍ଥଳ | କେଉଁ ଅଞ୍ଚଳରେ ଦେଖାଯାଏ :

ମୁଖ୍ୟତଃ ବିଂଝାରପୁରୀ ପ୍ରଜାତି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଓ ଆଖପାଖ ଅଞ୍ଚଳରେ ଦେଖାଯାଏ । ପଡୋଶୀ ଜିଲ୍ଲାର କେନ୍ଦ୍ରାପଡ଼ା ଓ ଭଦ୍ରକରେ ମଧ୍ୟ କିଛି ସଂଖ୍ୟାରେ ଦେଖାଯାନ୍ତି। ମୁଖ୍ୟତଃ ସମୁଦ୍ର ଉପକୂଳ ଅଞ୍ଚଳ ତଥା ଲୁଣିଆ ମାଟିରେ ଏହି ପ୍ରଜାତି ଦେଖିବାକୁ ମିଳେ । ଭୌଗୋଳିକ ସ୍ଥିତି ଅନୁସାରେ ଏହି ପ୍ରଜାତି ପୂର୍ବରେ ଅକ୍ଷାଂଶ ୨୦ଡିଗ୍ରୀ ୪୩ ମିନିଟ ରୁ ଆରମ୍ଭ କରି ୨୧ ଡିଗ୍ରୀ ୧୦ ମିନିଟ୍ ଉତ୍ତର ପର୍ଯ୍ୟନ୍ତ ଓ ଦ୍ରାଘିମା ୮୫ ଡିଗ୍ରୀ ୪ ମିନିଟ ରୁ ଆରମ୍ଭ କରି ୮୬ ଡିଗ୍ରୀ ୪୪ ମିନିଟ ପୂର୍ବ ମଧ୍ୟରେ ଦେଖିବାକୁ ମିଳେ। ଏହି ଉତ୍ପତ୍ତି ସ୍ଥଳରେ ଗୋଟିଏ ଗୋଠକୁ ବିଶ୍ଲେଷଣ କଲେ ପାଖପାଖି ଶତକଡା ୪୫ ଭାଗ ପ୍ରଜନନ କ୍ଷମ ଟାଇ, ୨୨ ଭାଗ ବାଛୁରୀ, ୨ ଭାଗ ବଳଦ ଓ ୩ ଭାଗ ଷଣ୍ଢ ଦେଖାଯାଏ ।


ଶାରିରୀକ ଗଠନ

ବିଂଝାରପୁରୀ ଏକ ମଧ୍ୟମ ଧରଣର ସିଙ୍ଘଧାରୀ ଶକ୍ତ, ଉଭୟ ଦୁଗ୍ଧ ପ୍ରଦାନକାରୀ ଏବଂ ହଳ କରିପାରୁଥିବା ପ୍ରଜାତି ଅଟେ ।

କୁଚ, ନାଭି ମଣ୍ଡଳ ଏବଂ ପୁରୁଷ ଲିଙ୍ଗ ରହିଅଛି । ଏହାର କୂଜ୍ଵ, ବେକ ଓ ମୁହଁର କିଛି ଅଂଶ ଦେଖିବାକୁ କଳା ରଙ୍ଗର ହୋଇଥାଏ । ଷମାନଙ୍କର ଚାଲିବା ଶୈଳୀ ସବୁଠୁ ନିଆରା ଅଟେ ।

ଏହି ପ୍ରଜାତି ର ଗାଈ ମାନେ ଶାନ୍ତ ପ୍ରକୃତିର । ଏହାର ଦୁଇ ପିଚା ହାଡ଼ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିଛି । ଯାହାକି ଉତ୍କୃଷ୍ଟ ଗର୍ଭଧାରଣ କ୍ଷମତାକୁ ଦର୍ଶାଏ । ଏହାର କ୍ଷୀର ଶିରାଗୁଡ଼ିକ ମଧ୍ୟ ସୁସ୍ପଷ୍ଟ । ଏହି ପ୍ରଜାତି ର ବାଛୁରୀ ଗୁଡ଼ିକ ହାଲୁକା ଧୂସର ରଙ୍ଗର ଏବଂ ପରିପକ୍କ୍ଵ ଅବସ୍ଥାରେ ଏମାନେ ଧଳା ରଙ୍ଗର ହୋଇଯାନ୍ତି । ଏହାର ଯଥେଷ୍ଟ ଲମ୍ବା ଲାଞ୍ଜ ରହିଥାଏ । ଯାହା କି ବହୁ ସମୟରେ ମାଟିକୁ ଲାଗିଲା ଭଳି ରହିଥାଏ। ଏହାହିଁ ଏହି ପ୍ରଜାତିର ଏକ ମୁଖ୍ୟ ବିଶେଷତ୍ୱ ଅଟେ ।

ସାଧାରଣତଃ ବିଂଝାରପୁରୀ ଗାଈର ଓଜନ ୨୦୦ କି.ଗ୍ରା ହୋଇଥିବା ବେଳେ ବଳଦ ର ଓଜନ ୨୫୦ କି. ଗ୍ରା ହୋଇଥାଏ । ଜନ୍ମ ସମୟରେ ମାଈ ବାଛୁରୀର ଓଜନ ୧୫ରୁ ୧୬ କି.ଗ୍ରା ହୋଇଥିବା ବେଳେ ଅଣ୍ଡିରା ବାଛୁରୀର ଓଜନ ୧୮-୨୦ କି.ଗ୍ରା ହୋଇଥାଏ । ଷଣ୍ଢ ମାନଙ୍କର ଶରୀରରେ ଲମ୍ବ ୧.୨ ମି ହୋଇଥିବା ବେଳେ ଗାଈମାନଙ୍କର ଲମ୍ବ ୧.୧୫ ମି ହୋଇଥାଏ । ଏହାର ଉଚ୍ଚତା ଭୂମିଠାରୁ କୁଜ୍ଵ ପର୍ଯ୍ୟନ୍ତ ପ୍ରାୟ ୧.୨ମି (ଷଣ୍ଢ) ଏବଂ ୧.ମି. (ଗାଈ) ହୋଇଥାଏ ।


ଦୁଗ୍ଧ ଉତ୍ପାଦନ କ୍ଷମତା :

ଦୁଗ୍ଧ ଉତ୍ପାଦନ ଦୃଷ୍ଟିରୁ ମଧ୍ୟ ଏହି ପ୍ରଜାତି କିଛି କମ ନୁହେଁ । ବିଂଝାରପୁରୀ ଗାଈମାନେ ତାଙ୍କର ପ୍ରତ୍ୟେକ ଫଳରେ (ପ୍ରତି ଥର ଛୁଆ ଦେବାର) ହାରା ହାରି ୧୦୦୦ ଲିଟରରୁ ଅଧିକ କ୍ଷୀର ଦେଇଥାନ୍ତି । ପ୍ରଥମ ଫଳରେ ପାଖାପାଖି ୨୦୦ ଦିନରେ ୮୦୦ ଲିଟର କ୍ଷୀର ଦେଉଥିବା  ବେଳେ ତୃତୀୟ ଚତୁର୍ଥଫଳ ବେଳକୁ ଏହା ୧୨୫୦ – ୧୩୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି । ଦେଖାଯାଉଛି ଯେ, ଏହି ପ୍ରଜାତି ର ଗାଇ ତାହାର ତୃତୀୟ ଫଳ ପରେ ସର୍ବାଧିକ ପରିମାଣର କ୍ଷୀର ଦେଇଥାଏ । କିନ୍ତୁ ଷଷ୍ଠ ଫଳ ପରେ କ୍ଷୀର ପରିମାଣ ତଥା ଗୁଣାତ୍ମକ ମୂଲ୍ୟ ଧିରେ ଧିରେ କମିବାକୁ ଆରମ୍ଭ କରେ। ଏମାନେ କ୍ରମାଗତ ୨୨୦ ରୁ ୩୦୦ ଦିନ କ୍ଷୀର ଦେଲାପରେ ୧୦୦ ଦିନ ପଡ଼ିଆ ପଡ଼ିଥାନ୍ତି ।

ଓଡ଼ିଶାର ଆଞ୍ଚଳିକ ପରିବେଶରେ ଏହି ପ୍ରଜାତି ର ଗାଈ ମାନେ ମୂଖ୍ୟତଃ ସବୁଜ ଘାସ ଖାଇ ଦୈନିକ ହାରାହାରି ୩.୫ ରୁ ୪ ଲିଟର କ୍ଷୀର ଦିଅନ୍ତି ଏବଂ ଏହି କ୍ଷୀରରେ ଶତକଡ଼ା ୪ ଭାଗ ଲହୁଣୀ ଅଂଶ ଥିବାବେଳେ ଶତକଡ଼ା ୮.୫ ଭାଗ କଠିନ ଛେନା ଅଂଶ ରହିଥାଏ । ଅତଏବ ଏହି ଦୁଗ୍ଧରୁ ଦୁଗ୍ଧ ଜାତୀୟ ବିଭିନ୍ନ ପଦାର୍ଥ ମଧ୍ୟ ତିଆରି କରିହେବ । 


ପ୍ରଜନନ କ୍ଷମତା :

ଏହି ପ୍ରଜାତିର ଗାଈମାନେ ସାଧାରଣତଃ ୨ ବର୍ଷ ୨ ମାସ ବୟସରେ ପ୍ରଥମ କରି ଗରମକୁ ଆସିଥାନ୍ତି ଏବଂ ଏହି ଗରମର ଲକ୍ଷଣ ଗାଈ ଶରୀରରେ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଗଛଟି ୨ ବର୍ଷ ୭ ମାସ ବୟସରେ ପ୍ରଥମେ ସଙ୍ଗମକ୍ଷମ ହୋଇଥାଏ ଏବଂ ୩ ବର୍ଷ ୫ ମାସରେ ହିଁ ପ୍ରଥମ ବାଛୁରୀ ଜନ୍ମ କରିଥାଏ । ସାଧାରଣତଃ ଗାଈ ର ପ୍ରଜନନ କ୍ଷମତା ତାହାର ଖାଦ୍ୟର ଗୁଣାତ୍ମକ ମୂଲ୍ୟ ଏବଂ

ପରିମାଣ ଉପରେ ନିର୍ଭର କରିଥାଏ। ଗାଈଟି ଗୋଟିଏ ବାଛୁରୀ ଜନ୍ମ କରିବାର ପ୍ରାୟ ୪୦୦ ଦିନ ପରେ ଅନ୍ୟ ଏକ ବାଛୁରୀ ଜନ୍ମ କରେ । ଇତି ମଧ୍ୟରେ ପ୍ରଥମ ୨୯୦ ରୁ ୩୦୦ ଦିନ କ୍ଷୀର ଦେଇଥିବା ବେଳେ ୧୦୦ ରୁ ୧୧୦ ଦିନ ପଡ଼ିଆ ରହିଥାଏ । ଏହି ପ୍ରଜାତିର ଗର୍ଭଧାରଣ ସମୟ ୨୭୦-୨୮୦ ଦିନ ହୋଇଥିବା ବେଳେ ତାହାର ଜୀବନକାଳ ମଧ୍ୟରେ ୭-୯ ଟି ଛୁଆ ଦେବାରେ ସକ୍ଷମ ହୋଇଥାଏ । 


ହଳ କରିବାର କ୍ଷମତା :

ଏହି ପ୍ରଜାତିର ଏକ ବିଶେଷ ଗୁଣ ହେଲା ଏହା ଅଧିକ ତାପମାତ୍ରା ସହ୍ୟ କରିପାରେ। ଏହାର ଶରୀର ତାପମାତ୍ରା ୧୦୧.୬ ଫାରେନ ହାଇଟ ହୋଇଥିବା ବେଳେ ଏହାର ଶ୍ଵାସକ୍ରିୟାର ବେଗ ୨୦ ଥର/ମିନିଟ ହୋଇଥାଏ। ଏହି ପ୍ରଜାତିର ବଳଦମନେ ଦିନକୁ ହାରାହାରା ୬ ଘଣ୍ଟା ଧରି ହଳ କରିବାରେ ସକ୍ଷମ ଅଟନ୍ତି। ଏହି ଜାତୀୟ ବଳଦମାନେ ଅନ୍ୟ ପ୍ରଜାତିର ବଳଦମାନଙ୍କ ଠାରୁ ଅଧିକ ସମୟ ଏବଂ ଅଧିକ ତାପମାତ୍ରାରେ ଜମିରେ କାମ କଲେ ମଧ୍ୟ ହାଲିଆ ହୋଇନଥାନ୍ତି । 


ସାଧାରଣ ପରିପାଳନ :

ଦେଶୀୟ ପ୍ରଜାତି ହୋଇଥିବାରୁ ଦୈନିକ ପରିପାଳନ ଵ୍ୟବସ୍ଥା ଯଥା- ଖାଦ୍ୟ, ଗୁହାଳ ଏବଂ ଚିକିତ୍ସା ଆଦିରେ ଅଧିକ ଖର୍ଚ କରିବାକୁ ପଡେ ନାହିଁ । ଝାଟି ମାଟି ତଥା ସାଧାରଣ ଗୁହାଳରେ ଉଭୟ ବଳଦ ଏବଂ ଗାଈମାନଙ୍କ ରହିବାରେ କୌଣସି ଅସୁବିଧା ହେଇନଥାଏ। ଦିନବେଳା ଚରିବୁଲି ଖାଇବା ପରେ ବେଳେ ରାତିରେ କୁଣ୍ଡା ନଡ଼ା ତଥା ତୋରାଣି ଓ ପରିବା ଚୋପା ପରି ରୋଷେଇ ଘରର ବଳକା ଖାଦ୍ୟ ତା ପାଇଁ ଯଥେଷ୍ଟ ଅଟେ । ଏତଦ ବ୍ୟତୀତ ବଜାରରେ ମିଳୁଥିବା ଦାନା, ଚୁନି ଚୋକଡ଼, ଧାତଵ ଲବଣ ଓ ମିନେରାଲ ମିକ୍ସଚର ଆଦି ମିଶାଇ ସୁଷମ ଖାଦ୍ୟ ଦେଲେ ପଶୁର ଶାରିରୀକ ଗଠନ ସହିତ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧ ହୋଇଥାଏ । କୃମି ନିରାକରଣ ଟୀକାକରଣ ତଥା ଗୁହାଳର ପରିଷର ପରିଚ୍ଛନ୍ନତା ପ୍ରତି ଧାନ ଦେବା ନିହାତି ଆବଶ୍ୟକ ।

ଆଜିର ସମୟରେ କୃତ୍ରିମ ପ୍ରଜନନର ଉପଲବ୍ଧତା ଏବଂ ବହୁଳି କରଣ ଯୋଗୁଁ ଧରେ ଧୂରେ ବିଂଝାରପୁରୀ ପ୍ରଜାତିର ଅନୁବଂଶୀୟ ଗୁଣାବସ୍ଥା ଅବକ୍ଷୟ ହେବାରେ ଲାଗିଛି । ଉକ୍ତ ପ୍ରକୃତାର ବିଶେଷତ୍ରକୁ ଅନୁଭବ କରି ଏହାର ସଂରକ୍ଷଣ ନିମନ୍ତେ ସରକାରୀ ସ୍ତରରେ ଖସଡ଼ା ପ୍ରସ୍ତୁତି କରିବା ସହ ଜନ-ସଚେତନତା ସୃଷ୍ଟି କରିପାରିଲେ ବିଂଝାରପୁରୀ ପ୍ରଜାତି ଏହି ଉତ୍କଳ ମାଟିରେ ତାର ସ୍ଵତନ୍ତ୍ରତା ବଜାୟ ରଖିପାରିବ |

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!