ଆମ ରାଜ୍ୟର ଚାଷୀମାନେ ଅମଳ ପରେ ଖାଦ୍ୟଶସ୍ୟ କୁ ଉପଯୁକ୍ତ ଭାବରେ ସଂରକ୍ଷଣ କରି ରଖିପାରିଲେ କୌଣସି କ୍ଷୟକ୍ଷତିକୁ କମ୍ ଖର୍ଚ୍ଚରେ ରୋକା ଯାଇ ପାରିବ। ଆସନ୍ତୁ ଜାଣିବା ଡାଲି ଜାତୀୟ ଶସ୍ୟକୁ କିପରି ସହଜ ରେ ଓ ଦେଶୀ ଉପାୟ ରେ ସାଇତି ରଖିପାରିବା-
ନିମ୍ବ ମଞ୍ଜି —
୫୦୦ ଗ୍ରାମ ନିମ୍ବ ମଞ୍ଜି ଗୁଣ୍ଡକୁ ଏକ ଲିଟର ପାଣିରେ ମିଶାଇ ଭଲ ଭାବରେ ଘାଣ୍ଟନ୍ତୁ । ସେହି ଦ୍ରବଣକୁ ପ୍ରାୟ ୧୨ ଘଣ୍ଟା ଛାଡି ଦିଅନ୍ତୁ । ପରେ ଏହି ଦ୍ରବଣକୁ ପ୍ରତି ଏକ କେ.ଜି. ବିହନ ପିଛା ୫ ମି.ଲି. ହିସାବରେ ଗୋଳାଇ ଛାଇ ଜାଗାରେ ଭଲ ଭାବରେ ଶୁଖାଇ ଦିଅନ୍ତୁ ।ମୁଗ, ବିରି, ହରଡ ପ୍ରଭୃତି ଡାଲି ଶସ୍ୟର ଭୃଙ୍ଗପୋକ ଇତ୍ୟାଦିକୁ ଏହାଦ୍ଵାରା ସାଇତା ସମୟରେ ଠିକ ଭାବରେ ନିୟନ୍ତ୍ରଣ କରାଯାଇପାରିବ । ନିମ୍ବ ମଞ୍ଜି ଗୁଣ୍ଡକୁ ମଧ୍ୟ ସିଧାସଳଖ ଶସ୍ୟ ସହିତ ଶତକଡା ୧ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ ।
ନିମ୍ବ ପତ୍ର —
ଏହାକୁ ଶୁଖାଇ ଗୁଣ୍ଡକରି ପ୍ରତି ଏକ କେ.ଜି. ବିହନରେ ୫୦ ଗ୍ରାମ ହିସାବରେ ମିଶାଇ ରଖିଲେ ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ପ୍ରାୟ ପୋକ ଲାଗନ୍ତି ନାହିଁ । ଏହି ବିହନଗୁଡିକୁ ପରବର୍ତ୍ତୀ ଅବସ୍ଥାରେ ପୁଣିଥରେ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ ।
ନିମ୍ବ ତେଲ —
ଡାଲି ଦାନାରେ ୦.୫ ପ୍ରତିଶତ ନିମ୍ବ ତେଲ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ ।
କରଞ୍ଜ ପତ୍ର —
କରଞ୍ଜ ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ ।
ବେଲ ଓ କରଡାପତ୍ର—
ବେଲ କିମ୍ବା କରଡା ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶତକଡା ୧ ଭାଗ ଅନୁପାତରେ ଶସ୍ୟ ସହିତ ଭଲ ଭାବରେ ମିଶାଇ ସାଇତି ରଖିଲେ ପୋକ ଆକ୍ରମଣରୁ ରକ୍ଷା ମିଳିଥାଏ ।
ଖାଇବା ତେଲ—
ନଡିଆ, ରାଶି, ସୋରିଷ, ଜଡା, ସୂର୍ଯ୍ୟମୁଖୀ, ଚିନାବାଦାମ, ପେଷୁ, ଟୋଲ, ଅଳସୀ, ବନସ୍ପତି, ପାମ ତେଲ, ରିଫାଇନ ତେଲ ଇତ୍ୟାଦି ଖାଇବା ତେଲ ଡାଲିଦାନାରେ ୦.୩ ପ୍ରତିଶତ ଗୋଳାଇ ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ ।
ଆତ ବା ସୀତାଫଳ ପତ୍ର—
ଏହି ଗଛର ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ ।
ଆତ ତେଲ, ପୋଲାଙ୍ଗ ତେଲ, କରଞ୍ଜ ତେଲ, କପା ତେଲ—ଏସବୁ ତେଲ ଇତ୍ୟାଦି ଡାଲି ଦାନାରେ ୦.୫ ପ୍ରତିଶତ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ ।
ନିମ୍ବ ବା କରଞ୍ଜ ଛେଲି—
ନିମ୍ବ କିମ୍ବା କରଞ୍ଜ ଛେଲିକୁ ବା ବକଳାକୁ ଗୁଣ୍ଡକରି ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ଗୋଳାଇ ରଖିଲେ ସେଥିରେ ପ୍ରାୟ କୌଣସି କୀଟ ଲାଗନ୍ତି ନାହିଁ ।
ଅନ୍ୟ ଉପାୟ—
ଶସ୍ୟକୁ ଖରାରେ ଭଲ ଭାବରେ ଶୁଖାଇ ଜଳୀୟ ଅଂଶକୁ ୧୦ ପ୍ରତିଶତରୁ କମାଇଲେ ନିରାପଦ ଭାବରେ ଏହାକୁ ସାଇତି ରଖିହୁଏ ।
ପକ୍କା କୋଠି ବା ଧାତବ କୋଠରି ଶସ୍ୟ ଦାନାକୁ ନିରାପଦରେ ସାଇତି ରଖାଯାଇପାରେ ।
ଶସ୍ୟ ଦାନା ଓ ଡାଲି ଜାତୀୟ ଦାନାରେ ପାଉଁଶ, ନାଲି କିମ୍ବା ଖଳି ମାଟି ମିଶାଇଲେ ଦାନାକୁ ସୁରକ୍ଷା ଯୋଗାଇଥାଏ । କାରଣ ଏହି ଜଡ ବସ୍ତୁ କୀଟଙ୍କର ଉପଚର୍ମକୁ ବିଦାରିବା ଯୋଗୁ କୀଟ ଶରୀର ଶୁଷ୍କ ହୋଇ ମୃତ୍ୟୁବରଣ କରେ । ଏ ପ୍ରକାର ସାଇତା ଶସ୍ୟକୁ ଖାଇବା ପୂର୍ବରୁ ଭଲ ଭାବରେ ସଫା କରିବା ଆବଶ୍ୟକ ।