
କାର୍ଯ୍ୟସମ୍ବନ୍ଧୀୟ ସୁପାରିଶ
(Operational Recommendation)
୦୧. ଅଗ୍ରାଧିକାର ଭିତ୍ତିରେ ବଜାର ବ୍ୟବସ୍ଥାକୁ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମୀଣ କୃଷି ବଜାର (GrAMs) ପ୍ରତିଷ୍ଠା କରାଯିବ ।
୦୨. କୃଷକ ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା: SFAC ଓ NABARD ସହାୟତା ଜରିଆରେ କୃଷକ ଉତ୍ପାଦକ କମ୍ପାନୀ ଗୁଡ଼ିକୁ ଆର୍ଥିକ ତଥା ବୈଷୟିକ ସହାୟତା ପ୍ରଦାନ କରାଯିବ ।
୦୩. କୃଷକଙ୍କୁ ବ୍ୟବସାୟୀ କିମ୍ବା କୃଷି ଉଦ୍ୟୋଗପତି ରୂପେ ପ୍ରୋତ୍ସାହନ ଦେବାକୁ ସରକାର ତାଙ୍କର ଆଭିମୁଖ୍ୟ ବଦଳେଇ ସାରିଲେଣି । ଏହା କୃଷି କ୍ଷେତ୍ରରେ ଶୀଘ୍ର ଆଧୁନିକୀକରଣ ଆଣିବାରେ ସଫଳ ହେବ। ଏହି କ୍ଷେତ୍ରରେ ‘ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିଃ (ଆପିକଲ)’ ମୁଖ୍ୟ ଭୂମିକା ଗ୍ରହଣ କରିବ।
୦୪. ଗୋଟିଏ ମୂଲ୍ୟ-ଶୃଙ୍ଖଳ ନୀତି ଗ୍ରହଣ କରାଯିବ ଓ ଯେଉଁଠାରେ ସମ୍ଭବ ଉତ୍ପାଦନ ସମୂହ(Cluster)କୁ ସଂଯୋଗ କରାଯିବ ।
୦୫. ପ୍ରତ୍ୟେକ ବର୍ଷ ଓ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଫସଲ ଯୋଗାଣ ସମ୍ବନ୍ଧୀୟ ଅସ୍ଥିରତା ଦୂର କରିବାରେ ଫସଲ ପ୍ରକ୍ରିୟାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
୦୬. କୃଷି କ୍ଷେତ୍ରରେ ବଜାର ଅନୁଧ୍ୟାନ (Market Intelligence) ଉପରେ କୃଷି ନୀତି ଅଧିକ ଗୁରୁତ୍ୱ ପ୍ରଦାନ କରୁଛି । କୃଷକମାନଙ୍କୁ ପ୍ରମୁଖ ଫସଲ ଗୁଡ଼ିକର ପ୍ରଚଳିତ ଓ ଆଗୁଆ ବଜାର ଦରର ତଥ୍ୟ ପ୍ରଦାନ ପାଇଁ ଏକ ବଜାର ଭିତ୍ତିକ ତଥ୍ୟ ପ୍ରଣାଳୀ (MIS) ପ୍ରସ୍ତୁତ କରାଯିବ । ଏକ ତଥ୍ୟ ଆଦାନ ପ୍ରଦାନକାରୀ ସ୍ଥିତି ସୂଚକ (Dashboard) ପ୍ରସ୍ତୁତ କରାଯିବ । ଏହାକୁ ପର୍ଯ୍ୟାୟକ୍ରମେ କରାଯିବ, ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ ଫସଲ ଓ ଉଦ୍ୟାନ କୃଷି ଭିତ୍ତିକ ପଣ୍ୟବସ୍ତୁ ଗୁଡ଼ିକର ତଥ୍ୟ ରହିବ ।
୦୭. ଫଳ ଓ ପନିପରିବା ପାଇଁ ସଂକ୍ଷିପ୍ତ ମୂଲ୍ୟ-ଶୃଙ୍ଖଳକୁ ଉତ୍ସାହିତ ଓ ସହାୟତା କରାଯିବ ।
୦୮. ଜମିଜମା ସଂକ୍ରାନ୍ତୀୟ ସୁବିଧାସୁଯୋଗ ଥିବା ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ଜମିଜମା ତଥ୍ୟର ଅଙ୍କିକରଣ (Digitization) କରାଯିବ । ଜମିର ବାସ୍ତବ ସ୍ଥିତି ନିରୂପଣ ସହ ଜିଓ-ଟ୍ୟାଗିଙ୍ଗ୍ ସହ ସମସ୍ତ ଜମିଜମା ତଥ୍ୟର ଅନ୍ଲାଇନ୍ ପଞ୍ଜିକରଣ କରାଯିବ ।
୦୯. ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହିତ କରାଯିବ । ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନାକୁ ସଂପ୍ରସାରିତ କରାଯିବ ଏବଂ ଏହାର ୱେବ୍ ପୋର୍ଟାଲକୁ ସମନ୍ୱିତ ସାର ପରିଚାଳନା ପଦ୍ଧତି (IFMS) ରେ ସଂଯୁକ୍ତ କରାଯିବ ।
୧୦. ଗ୍ରାମ/ଗ୍ରାମପଞ୍ଚାୟତ ସ୍ତରରେ ପ୍ରତି ୩ ବର୍ଷରେ ମୃତ୍ତିକା ସ୍ୱାସ୍ଥ୍ୟ ସ୍ଥିତିକୁ ନିୟମିତ ନବୀକରଣ କରାଯିବ ।
୧୧. ସ୍ୱଚ୍ଛ ଓ ସଠିକ୍ ବିତରଣ ନିମନ୍ତେ ରାସାୟନିକ ସାର ମୂଲ୍ୟ ଶୃଙ୍ଖଳକୁ ବ୍ୟବସ୍ଥିତ କରାଯିବ । ଏଥିପାଇଁ ଅନ୍ୟ ଜିନିଷ ସହ ଆଧାର (Aadhaar) ସଂଯୋଗିତ ଇ-ପି.ଓ.ଏସ୍.(e-POS) ବ୍ୟବହୃତ ହେବ ।
୧୨. ଉନ୍ନତ ଜଳ ନିଷ୍କାସନ, ନିଷ୍କାସନ ନାଳୀ ସଫେଇ, ଫସଲ ପରିବର୍ତ୍ତନ, ଫସଲ ପର୍ଯ୍ୟାୟ ଓ ଅନ୍ୟାନ୍ୟ କୌଶଳ ମାଧ୍ୟମରେ ମାଟିର ଲବଣାଂସକୁ ଶୋଧନ କରାଯିବ ।
୧୩. ବୃଷ୍ଟିପୁଷ୍ଟ ଅଞ୍ଚଳରେ (3M) ଦ୍ରବ୍ୟ(Matter), ଆର୍ଦ୍ରତା (Moisture), ଅଣୁଜୀବ (Microbe) ଢାଞ୍ଚାରେ ମୃତ୍ତିକା ପରିଚାଳନା କରାଯିବ ।
୧୪. ଏକ କ୍ରିୟାଶୀଳ ବିହନ ଯୋଗାଣ ଓ ବିତରଣ ବ୍ୟବସ୍ଥା କରାଯିବ । ଏହା ଫସଲଭିତ୍ତିକ, ଅଞ୍ଚଳଭିତ୍ତିକ, ଋତୁଭିତ୍ତିକ ଓ ହେକ୍ଟର ପ୍ରତି ବିହନ ଉପଯୋଗ ପରିମାଣ ଉପରେ ପର୍ଯ୍ୟବସିତ ହେବ । ଏହା ଆବଶ୍ୟକ ବିହନ ପ୍ରତିବଦଳ ହାର(SRR), କିସମ ପ୍ରତିବଦଳ ହାର (VRR), ପୂର୍ବ ପ୍ରଚଳିତ ଧାରା ଓ ପୁରୁଣା କିସମ ବଦଳରେ ନୂଆ କିସମ ପ୍ରଚଳନ ଆଦିକୁ ଅଙ୍କିତ କରିବ ।
୧୫. କୃଷକଙ୍କୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଜଳନିଧି ଯୋଜନାକୁ ପରିବର୍ଦ୍ଧିତ କରାଯିବ ଏବଂ ଜମିରେ ଜଳସେଚନ ଯୋଗାଣ ନିମନ୍ତେ ଆବଶ୍ୟକ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ପାଇଁ ସୌରଚାଳିତ ପାଣିପମ୍ପକୁ ଉତ୍ସାହିତ କରାଯିବ । ସୌର ପ୍ୟାନେଲ ଗୁଡିକୁ ଗ୍ରିଡ ସହ ସଂଯୋଗ କରିବାକୁ ଉଦ୍ୟମ କରାଯିବ; ଯାହାକି କୃଷକଙ୍କୁ ଅତିରିକ୍ତ ଆୟ ଯୋଗାଇବ ।
୧୬. ଜଳ ସଂରକ୍ଷଣ କୃଷିନୀତିର ମୁଖ୍ୟଲକ୍ଷ୍ୟ ରହିବ ଓ ଜଳ ଅପଚୟ କରୁଥିବା ସେଚ ପ୍ରଣାଳୀ ତଥା ଉତ୍ପାଦନ କୌଶଳ ଯେପରିକି ଧାନ ଜମିରେ ପ୍ଲାବିତ ଜଳସେଚନକୁ ନିରୁତ୍ସାହିତ କରାଯିବ । ଏଥିସହିତ ଉପଯୁକ୍ତ ବିକଳ୍ପ ବୈଷୟିକ କୌଶଳ ଚିହ୍ନିତ କରି ଚାଷୀମାନଙ୍କୁ ସଚେତନ କରାଯିବ ।
୧୭. ପ୍ରଯୁକ୍ତିବିଦ୍ୟା ଆଧାରିତ ରୋଗ ପୋକ ପରିଚାଳନା ପଦ୍ଧତି ପ୍ରସ୍ତୁତ କରାଯିବ । ରୋଗ ପୋକର ଆଗୁଆ ସୂଚନା ଦେବାକୁ ଅତୀତ ଓ ବୈଜ୍ଞାନିକ ତଥ୍ୟ ତଥା ପାଣିପାଗ ତଥ୍ୟ ଆଧାରିତ ଏକ ମଡ଼େଲ ପ୍ରସ୍ତୁତ କରାଯିବ ।
୧୮. କୀଟନାଶକ / ଜୀବନାଶକ କଡ଼ାକଡ଼ି ଭାବେ ଗୁଣବତ୍ତା ଆଧାରରେ କ୍ରୟ କରାଯିବ । ଏହାର କାର୍ଯ୍ୟକାରିତା
ବିଷୟରେ ଯାଞ୍ଚ ବ୍ୟବସ୍ଥା କରାଯିବ ଓ ନିମ୍ନମାନର କୀଟନାଶକ / ଜୀବନାଶକ ଗୁଡ଼ିକୁ ଅନୁମୋଦିତ ତାଲିକାରୁ ବାଦ୍ ଦିଆଯିବ ।
୧୯. ସମସ୍ତ ଚାଷୀ ତଥା ଭାଗଚାଷୀଙ୍କୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଉପଯୁକ୍ତ ଅର୍ଥନୈତିକ ସାଧନ, ଋଣ ପ୍ରଦାନର ନୂତନ ପ୍ରଣାଳୀ ଓ ଅଧିକ ହିତାଧିକାରୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରାଯିବ। ପରିବର୍ତ୍ତିତ କିଷାନ କ୍ରେଡିଟ୍ କାର୍ଡ ଯୋଜନାର କାର୍ଯ୍ୟାନ୍ୱୟନର ନୀରିକ୍ଷଣ ଓ ଉନ୍ନତି କରାଯିବ ।
୨୦. ପ୍ରାଣୀପାଳନ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଏକ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରଜାତିକୁ ନେଇ ଏହାର ଉନ୍ନତି କରାଯିବାକୁ ଯୋଜନା କରାଯାଉଛି । ଦୁଧିଆଳୀ ପ୍ରାଣୀମାନଙ୍କ କୃତ୍ରିମ ପ୍ରଜନନ ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି କରାଯିବ ଓ ଅଧିକ ପ୍ରୋତ୍ସାହନ ରାଶି ଦେଇ ଲିଙ୍ଗ ଆଧାରିତ ଶୁକ୍ରାଣୁ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ।
୨୧. ଗୋଖାଦ୍ୟ ପ୍ରସ୍ତୁତି, ଦୁଗ୍ଧ ସଂଗ୍ରହ, ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥାର ଭିତ୍ତିଭୂମି ପ୍ରସ୍ତୁତ କରି ସମବାୟ ସଂସ୍ଥା ମାଧ୍ୟମରେ ଗୋପାଳନକୁ ଉତ୍ସାହିତ କରାଯିବ ।
୨୨. ଗ୍ରାମାଞ୍ଚଳ ସ୍ତରରେ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ଶୃଙ୍ଖଳ ପ୍ରସ୍ତୁତ କରିବା ପାଇଁ ବେସରକାରୀ ସଂସ୍ଥାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ ।
୨୩. ଓମ୍ଫେଡ୍ ଓ ବେସରକାରୀ ପ୍ରକ୍ରିୟାକରଣ ସଂସ୍ଥା ମାଧ୍ୟମରେ ମୋଟ ଦୁଗ୍ଧ ଉତ୍ପାଦନର ବର୍ତ୍ତମାନର ୨୦% ଦୁଗ୍ଧ ସଂଗ୍ରହକୁ ଆଗାମୀ ୫ ବର୍ଷରେ ୨୫% କୁ ବୃଦ୍ଧି କରାଯିବ ।
୨୪. ଆଗାମୀ ୫ ବର୍ଷରେ ସମସ୍ତ କାର୍ଯ୍ୟକ୍ଷମ ଗ୍ରାମୀଣ ସମବାୟ ସଂସ୍ଥା ଗୁଡ଼ିକୁ ସାମିଲ କରାଯାଇ ବିଶେଷ କରି ଗ୍ରାମାଞ୍ଚଳ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଜରିଆରେ ଓମ୍ଫେଡ୍ ଏହାର ଦୁଗ୍ଧ ଶୀତଳ ଶୃଙ୍ଖଳକୁ ପରିବ୍ୟାପ୍ତ କରିବ । ଯେଉଁ ଗ୍ରାମାଞ୍ଚଳରୁ ପ୍ରତିଦିନ ଅନ୍ୟୁନ ୫୦୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି, ସେଠାରେ ବଡ ଆକୃତିର ଦୁଗ୍ଧ ଶୀତଳୀକରଣ ପ୍ରଦାନ କରାଯିବ ।
୨୫. ପ୍ରାଣୀମାନଙ୍କ ମୁଖ୍ୟ ରୋଗ ଯଥା- ପାଦ ଓ ମୁଖ ରୋଗ, ବ୍ରୁସେଲୋସିସ, ଏଚ୍.ଏସ୍., ବି.କ୍ୟୁ, ଥେଇଲେରିଓସିସ୍, ଆଇ.ବି.ଆର. ଓ ମାଷ୍ଟିଟିସ୍ ପରି ରୋଗର ନିଦାନ ପାଇଁ ସୁରକ୍ଷାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ରାଜ୍ୟରେ ପାଦ ଓ ମୁଖ ରୋଗର ନିରାକରଣ ପାଇଁ ପ୍ରାଣୀମାନଙ୍କ ଶତ ପ୍ରତିଶତ ଟୀକାକରଣ ଅଭିଯାନ କରାଯିବ ।
୨୬. ସର୍ବସାଧାରଣ ଓ ପତିତ ଜମିରେ ଘାସଚାଷ ପାଇଁ ଏକ ଘାସ ଉନ୍ନୟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ।
୨୭. ଦୁଧିଆଳୀ ପ୍ରାଣୀମାନଙ୍କ ପାଇଁ ସନ୍ତୁଳିତ ଆହାର କାର୍ଯ୍ୟକମ୍ର ୧୦,୦୦୦ ଗ୍ରାମକୁ ପରିବର୍ଦ୍ଧିତ କରାଯିବ ।
୨୮. କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳକୁ ସୁହାଇଲା ପରି ସ୍ୱଳ୍ପ ଖର୍ଚ୍ଚରେ କୁକୁଡ଼ା/ବତକ/ ଅନ୍ୟାନ୍ୟ ପକ୍ଷୀ ପାଳନକୁ ପ୍ରୋତ୍ସାହନ ଦିଆଯିବ ।
୨୯. ଛେଳିଚାଷ ପାଇଁ ଓଡ଼ିଶା ଜଳବାୟୁରେ ଶୀଘ୍ର ବଢ଼ି ପାରୁଥିବା ଓ ଅଧିକ ମାଂସ ଦେଉଥିବା ଛେଳି କିସମ ଚିହ୍ନଟ କରିବାକୁ ପ୍ରାଣୀ ସଂପଦ ବିକାଶ ବିଭାଗ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯିବ ।
୩୦. ଚୟନମୂଳକ ପ୍ରଜନନ ପ୍ରକ୍ରିୟା ମାଧ୍ୟମରେ ଛେଳି ଓ ମେଣ୍ଢାମାନଙ୍କର ଆନୁବଂଶିକ ବିକାଶ କରାଯିବ । ଅନ୍ତଃ ପ୍ରଜନନ କମାଇବା ପାଇଁ ଏକ ବୋଦା ପ୍ରତିବଦଳ କାର୍ଯ୍ୟକ୍ରମ କରାଯିବ ।
୩୧. ପକ୍ଷୀପାଳନ କ୍ଷେତ୍ରରେ ବୃହତ ଏକୀକରଣ ସଂସ୍ଥାକୁ ସହାୟତା ଓ ପ୍ରୋତ୍ସାହନ ଦିଆଯିବ ଯଦ୍ୱାରା ସେମାନେ ବିକେନ୍ଦ୍ରିକୃତ ଉତ୍ପାଦନ ମଡେଲ ପ୍ରତିଷ୍ଠା କରିପାରିବେ ।
୩୨. କ୍ଷୁଦ୍ର ଓ ବାଡ଼ି ଅଗଣାରେ କୁକୁଡ଼ା/ବତକ ପାଳନ ପାଇଁ ରିହାତି ଦରରେ ଟୀକା ଯୋଗାଇ ଦିଆଯିବ ।
୩୩. କୁକୁଡ଼ା/ବତକ ପାଳନ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ବ୍ୟବହାରକୁ ନିୟନ୍ତ୍ରିତ କରାଯିବ । ଏକ ଦକ୍ଷ ସଂପ୍ରସାରଣ ପ୍ରଣାଳୀ ମାଧ୍ୟମରେ ଏହା ନିଶ୍ଚିତ କରାଯିବ ଯେ ଆଣ୍ଟିବାୟୋଟିକ୍ର ପ୍ରୟୋଗ ଶରୀର ବୃଦ୍ଧି ପାଇଁ ନୁହେଁ ବରଂ କେବଳ ରୋଗ ନିଦାନ ପାଇଁ ଉଦ୍ଦିଷ୍ଟ ।
୩୪. ମତ୍ସ୍ୟଜୀବୀ ମାନଙ୍କ ପାଇଁ ଜୀବନ ବୀମା ତଥା ଡଙ୍ଗା ଓ ଜାଲ କିଣିବା ପାଇଁ ସହାୟତା ପ୍ରଦାନ ସହ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରାଯିବ । ପୁନଶ୍ଚ ପାଣିପାଗ ସମ୍ବନ୍ଧୀୟ ଆପଦ ପରିଚାଳନା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ଜଳବାୟୁ ସଂପର୍କୀୟ ସୂଚନା ସେବା ପ୍ରଦାନ କରାଯିବ ।
୩୫. ରାଜ୍ୟର ମତ୍ସ୍ୟ ସମ୍ପଦର ଅଙ୍କୀକରଣ ଓ Geo-tagging କରିବା ପାଇଁ GIS ଆଧାରିତ ପରିଚାଳନା ତଥ୍ୟ ପଦ୍ଧତି (MIS) ସ୍ଥାପନା କରାଯିବ ।
୩୬. ପୋଖରୀ/ଜଳାଶୟ ପାଇଁ ଲିଜ୍ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ଆଣି ଆଭ୍ୟନ୍ତରୀଣ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରାଯାଇ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯିବ ।
୩୭. ରାଜ୍ୟର ବିଭିନ୍ନ ସ୍ଥାନରେ ମତ୍ସ୍ୟ ବିକ୍ରୟ କେନ୍ଦ୍ର ଓ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇ ମତ୍ସ୍ୟ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ମତ୍ସ୍ୟ ବି ଣନରେ ଶୀତଳ ଶୃଙ୍ଖଳ (Cold Chain) କୁ ଉତ୍ସାହିତ କରାଯିବା ସହିତ ଆଧୁନିକ ଓ ପ୍ରଭାବୀ ମୂଲ୍ୟଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରି ମୂଲ୍ୟଭିତ୍ତିକ ଶୁଷ୍କ ମତ୍ସ୍ୟ ବିପଣନକୁ ପ୍ରୋତ୍ସାହିତ କରାଯିବ ।
୩୮. କୃଷି ସଂପ୍ରସାରଣ ବ୍ୟବସ୍ଥାକୁ ମଜବୁତ୍ କରାଯିବ । ଆଗାମୀ ୫ବର୍ଷରେ ଅନ୍ୟୁନ ୫,୦୦,୦୦୦ ଚାଷୀଙ୍କୁ ତାଲିମ ପ୍ରଦାନ କରାଯିବ ଏବଂ ଫସଲକାଟ ଓ କ୍ଷେତ୍ର ପ୍ରଦର୍ଶନକୁ ଶତ ପ୍ରତିଶତ ଏରକ୍ଟଗ୍ଧବଶଶସଦ୍ଭଶ କରାଯିବ । ଗ୍ରାମ, ବ୍ଳକ ଓ ଜିଲ୍ଲା ସ୍ତରରେ ସଂପ୍ରସାରଣ କ୍ଷେତ୍ରରେ କାର୍ଯ୍ୟକରୁଥିବା ମାନବ ସାଧନକୁ ବୃଦ୍ଧି କରାଯିବ ।
୩୯. ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ, ଆଗାମୀ ୫ ବର୍ଷରେ ଶତପ୍ରତିଶତ ଅଞ୍ଚଳରେ ଆଗୁଆ ସୂଚନା ପ୍ରଦାନ କରିବା ବ୍ୟବସ୍ଥା କରାଯିବ । ଯଥେଷ୍ଟ ପରିମାଣରେ ବିହନ, ରାସାୟନିକ ସାର ମହଜୁଦ ରଖାଯିବ ଓ ଅନ୍ୟାନ୍ୟ ସହାୟତା ଯଥା କୃଷି ଋଣ ଆଦି ଦେବାକୁ ନିଶ୍ଚିତ କରାଯିବ ଏବଂ ଏଥିସହିତ ଫସଲ କ୍ଷତି ଆକଳନ ବ୍ୟବସ୍ଥାକୁ ଗତିଶୀଳ ଓ ଅଧିକ ବ୍ୟବସ୍ଥିତ କରାଯିବ ।
୪୦. କୃଷିରେ ମହିଳାମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ
କ) ଉଦ୍ୟାନକୃଷି ଓ କ୍ଷୁଦ୍ର ପ୍ରାଣୀ ପାଳନ ଯୋଜନା ବଜେଟର ଅନ୍ୟୁନ ୩୦% ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ ।
ଖ) ମହିଳାମାନଙ୍କ ଉପଯୋଗୀ ଘରବାଡ଼ିରେ ପ୍ରାଣୀପାଳନ/କୁକୁଡ଼ା ପାଳନ/ମତ୍ସ୍ୟଚାଷ/ ମହିଳା ଉପଯୋଗୀ ଫସଲଚାଷ (ଯେପରିକି ପନିପରିବା) ଏବଂ ଉତ୍ପାଦନ କୌଶଳ ଆଦିରେ ଅଧିକ ଗୁରୁତ୍ୱ ଦେବା ସହିତ ସଂପ୍ରସାରଣ ବ୍ୟବସ୍ଥାରେ ସଂଶୋଧନ କରାଯିବ ।
ଗ) ଆବଶ୍ୟକତା ଅନୁସାରେ ମହିଳା ଉପଯୋଗୀ କୃଷି ଉପକରଣ ଗୁଡ଼ିକର ଢାଞ୍ଚା ପ୍ରସ୍ତୁତି ଓ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ ।
ଘ) ମହିଳାମାନେ କିପରି ଅଧିକରୁ ଅଧିକ ଋଣ ପାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।
ଙ) ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୀତି ଅଣାଯିବ ।
ଚ) ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ମିଶନଶକ୍ତିକୁ ଉପଯୋଗ କରାଯିବ ।
୪୧. ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁସ୍ତରରେ ଏକ ଦୃଢ଼ ଦକ୍ଷତା ସୂଚକାଙ୍କ ପ୍ରସ୍ତୁତ କରାଯିବ ଓ ଅଧିକାରୀମାନଙ୍କର ଉତ୍ତରଦାୟିତ୍ୱ ମାନଦଣ୍ଡ ସ୍ଥିର କରିବାକୁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯିବ । ପାରଦର୍ଶୀ ଅଧିକାରୀଙ୍କୁ ପୁରସ୍କୃତ ବା ସ୍ୱୀକୃତି ପ୍ରଦାନ କରାଯିବ ।
୪୨. ADAPT (Analytics for Decision making and Agricultural Policy Transformation) ଅଧିନରେ ଏକ ନିଷ୍ପତ୍ତି ସହାୟକ ପଦ୍ଧତି (Decision Support System) ପ୍ରସ୍ତୁତ କରାଯିବ । ଯାହାଦ୍ୱାରା ବିଭାଗର ସମସ୍ତ ତଥ୍ୟ ସହାୟତାରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଦକ୍ଷତାର ସହିତ ପରିଚାଳନା କରାଯାଇପାରିବ । ଏହି ବ୍ୟବସ୍ଥା, ଗ୍ରାମ, ଗ୍ରାମପଞ୍ଚାୟତ, ବ୍ଳକ, ଜିଲ୍ଲା ଓ ରାଜ୍ୟ ସ୍ତରର ଅଧିକାରୀଙ୍କୁ ତଥ୍ୟ ବ୍ୟବହାର କରିବାରେ ସାହାଯ୍ୟ କରିବ । ଅଧିକାରୀମାନଙ୍କ ସୁବିଧା ନିମନ୍ତେ ଏହି ବ୍ୟବସ୍ଥା ମୋବାଇଲ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ ।
୪୩. ଆଗାମୀ ୫ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଇଲୋକ୍ଟ୍ରୋନିକ ନିରୀକ୍ଷଣ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ।
୪୪. ଏକ ସମ୍ପୂର୍ଣ୍ଣ ଓ ଅଧୁନାତନ କୃଷକ ଡାଟାବେସ୍ ପ୍ରସ୍ତୁତ କରାଯିବ । ସମସ୍ତ ଜମି ମାଲିକାନା ଥିବା ଚାଷୀ, ଭାଗଚାଷୀ ଓ ପ୍ରଜା ଚାଷୀଙ୍କ ପାଇଁ ପ୍ରଚଳିତ ଡାଟାବେସ୍କୁ ତ୍ରୁଟିଶୂନ୍ୟ ଓ ଶକ୍ତିଶାଳୀ କରାଯାଇ ଏକ ନୂତନ ଗତିଶୀଳ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଏହି ଡାଟାବେସ୍ ଚାଷୀମାନଙ୍କୁ ଅନେକ ପ୍ରକାର ତଥ୍ୟ, ପରାମର୍ଶ ଓ ଅନ୍ୟାନ୍ୟ ସାହାଯ୍ୟ ଦେବାକୁ ବ୍ୟବହୃତ ହେବ ।
୪୫. ସୂକ୍ଷ୍ମ ନିରୀକ୍ଷଣ ପାଇଁ ଡ୍ରୋନ୍ର ବ୍ୟବହାର କରାଯିବ ଏବଂ ଉଚ୍ଚମାନର ଉପଗ୍ରହ ଫଟୋ ଓ ପାଣିପାଗ ବିଶ୍ଲେଷଣ ଭାରତୀୟ ପାଣିପାଗ ବିଭାଗ ବା ବେସରକାରୀ ସଂସ୍ଥା ମାନଙ୍କଠାରୁ ସଂଗ୍ରହ କରାଯିବ । ଅପହଞ୍ଚ ଇଲାକା ଗୁଡ଼ିକରେ ସ୍ଥିତି ଉପରେ ନଜର ରଖିବା, ଫସଲ କାଟ ପରୀକ୍ଷଣ ଓ କୃଷି ପରାମର୍ଶ ଆଦି କାର୍ଯ୍ୟ ପାଇଁ ବିଭିନ୍ନ ସୂତ୍ରରୁ ମିଳୁଥିବା ତଥ୍ୟକୁ ବ୍ୟବହାର କରାଯାଇ ପାରିବ । କୃଷକମାନଙ୍କୁ କୃଷିଋଣ ପ୍ରଦାନ ଓ ଫସଲବୀମା କ୍ଷେତ୍ରରେ ଏହି ଡାଟାକୁ ବ୍ୟବହାର କରାଯାଇ ପାରିବ ।
୪୬. ବିହନ, ରାସାୟନିକ ସାର ଓ ଜୀବନାଶକ / କୀଟନାଶକର ବାସ୍ତବ ବ୍ୟବହାର ଓ ଯୋଗାଣ ଉପରେ ନଜର ରଖିବାକୁ IoT ସେନ୍ସର ବ୍ୟବହାର କରାଯିବ ।
୪୭. ରୋବୋଟିକ୍ ଜ୍ଞାନକୌଶଳ ବ୍ୟବହାର କରାଯାଇ ସ୍ୱୟଂକ୍ରିୟ ଫସଲ ଉତ୍ପାଦଗୁଡିକର ଶ୍ରେଣୀକରଣ ଓ ବର୍ଗୀକରଣ କରାଯିବାକୁ ପଦକ୍ଷେପ ନିଆଯିବ । ଏହା ଯୋଗାଣ ଶୃଙ୍ଖଳାରେ ଅପଚୟ ଓ ଶ୍ରମଶକ୍ତିକୁ କମାଇପାରିବ ।
୪୮. ବ୍ଲକଶୃଙ୍ଖଳ ଭଳି ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଚୁକ୍ତିଭିତ୍ତିକ ଚାଷ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରାଯିବ ।
ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶା କୃଷି
୧) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ ଭାରତୀୟ କୃଷି ଗବେଷଣା ପରିଷଦ ଓ ସି.ଜି.ଆଇ.ଏ.ଆର (CGIAR) ସଂସ୍ଥା ପରି ଆନ୍ତଜାର୍ତୀୟ ଧାନ ଗବେଷଣା ସଂସ୍ଥା ରାଜ୍ୟର ୧୦ ଗୋଟି କୃଷି ଜଳବାୟୁ ଅଞ୍ଚଳ ପାଇଁ ପାଣିପାଗକୁ ସୁହାଉଥିବା କିସମଗୁଡିକ ବିକାଶ କରିବେ ।
୨) ପାଣିପାଗକୁ ସୁହାଉଥିବା ଅଧିକ ଅମଳକ୍ଷମ ଦେଶୀ କିସମ ଗୁଡିକୁ ଚିହ୍ନଟ କରାଯିବ ଓ ପ୍ରୋତ୍ସାହିତ କରାଯିବ।
୩) ବନ୍ୟା ପ୍ଲାବିତ ଅଞ୍ଚଳରେ ବନ୍ୟା ସହଣୀ କିସମ, ମରୁଡ଼ି ପ୍ରବଣ ଅଞ୍ଚଳରେ ମରୁଡି଼ ସହଣୀ କିସମ ଓ ଲୁଣା ଅଞ୍ଚଳରେ ଲୁଣି ସହଣୀ କିସମକୁ ପ୍ରୋତ୍ସାହିତ କରାଯିବ ।
୪) ଜଳବାୟୁ ଅନୁକୂଳ (Climate smart) ବିହନ ଯୋଗାଣ କାର୍ଯ୍ୟକ୍ରମକୁ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି। ବାରମ୍ବାର ପ୍ରାକୃତିକ ଦୁର୍ବିପାକ ଘଟୁଥିବା ଅଞ୍ଚଳରେ ବିହନ ଆରକ୍ଷଣ ନୀତି ସହ ଏକ ଆପାଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରାଯିବ ।
୫) କ୍ଷୁଦ୍ର ଓ ନାମମାତ୍ର ଚାଷୀ ତଥା ଭୂମିହୀନ ପରିବାରଙ୍କ ଜୀବନ ଜୀବିକାର ସହାୟତା ପାଇଁ ସ୍ଥାନୀୟ ଜଳବାୟୁକୁ ସୁହାଇଲା ପରି ସ୍ୱଳ୍ପ ଖର୍ଚ୍ଚରେ କରାଯାଉଥିବା କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରାଯିବ ।
୬) ଯେଉଁଠାରେ ସମ୍ଭବ ସୂକ୍ଷ୍ମ ବା ଯଥାର୍ଥ କୃଷି କୌଶଳ (Precision Agriculture Technique) ଶକ୍ତି ସଂଚୟକାରୀ ପାଣିପମ୍ପ, ଅଣୁ ଜଳସେଚନ, ଜଳବାୟୁ ଅନୁକୂଳ ପ୍ରଯୁକ୍ତି ଓ ପ୍ରାଣୀସଂପଦର ଆଚରଣ, ସ୍ୱାସ୍ଥ୍ୟ, ଉତ୍ପାଦନ ଏବଂ ବଜାର ବ୍ୟବସ୍ଥା ସ୍ଥାପନ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦିଗରେ ରାଜ୍ୟର ସଂପ୍ରସାରଣ କାର୍ଯ୍ୟକର୍ତ୍ତା କାର୍ଯ୍ୟକରିବାର ଲକ୍ଷ୍ୟ ରଖାଯାଇଛି ।
୭) ପୂର୍ବଚିହ୍ନିତ ଉତ୍ପାଦନ ପୁଞ୍ଜମାନଙ୍କ ସହାୟତା ନେଇ ସହଭାଗୀ ଜଳ ନିରାପତ୍ତା ପରିଚାଳନା (ଭୂତଳ ଜଳ ଓ ପ୍ରବାହମାନ ଜଳ) କାର୍ଯ୍ୟକାରୀ ହେବ । ଭୂତଳ ଜଳ ଓ ପ୍ରବାହମାନ ଜଳର ସୁରକ୍ଷା ଓ ସହଯୋଗ ଭିତ୍ତିକ ପରିଚାଳନା ଫସଲ ଉତ୍ପାଦନ ପୁଞ୍ଜି ଆଧାରରେ ପରିଚାଳନା କରାଯିବ ।
୮) ସେଚଜଳର ସଠିକ୍ ଓ ଉପଯୁକ୍ତ ବ୍ୟବହାର ତଥା ଗୋଷ୍ଠୀଗତ ଜଳ ପରିଚାଳନା ପାଇଁ ଗ୍ରାମୀଣ ସହଭାଗୀ ଅବତାରଣା (Participatory Rural Appraisal) ତାଲିମ କାର୍ଯ୍ୟକ୍ରମ ଏବଂ ନମୁନା ପ୍ରଦର୍ଶନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।
୯) ଯେଉଁଠାରେ ଅଧିକାଂଶ ସମୟରେ ପାଣି ଜମି ରହୁଛି ଓ ପାଣି ଜମିରହିବା ଜନିତ ସମସ୍ୟା ରହୁଛି ସେସବୁ ଅଞ୍ଚଳରେ ଜଳ ନିଷ୍କାସନ ପ୍ରକଳ୍ପ କରାଯିବା ଦିଗରେ ଦୃଷ୍ଟି ଦିଆଯିବ ।
୧୦) ଜଳ ବିନିଯୋଗକାରୀ ସଂଘ (ପାଣି ପଞ୍ଚାୟତ) କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ ଓ ରାଜ୍ୟରେ ସେଚ ଜଳର ସୁବିନିଯୋଗ ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ କରିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ।
୧୧) ସହଯୋଗ ଭିତ୍ତିରେ ଜଳ ବିଭାଜିକା ପରିଚାଳନାକୁ ପ୍ରାଧାନ୍ୟ ଦିଆଯିବ ।
୧୨) ବିଶେଷ କରି ବୃଷ୍ଟିପୁଷ୍ଟ ଅଞ୍ଚଳରେ ଭୂତଳ ଜଳ ସଂରକ୍ଷଣ ସହିତ, ବର୍ଷା ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ ।
ଉପସଂହାର
ଏହି କୃଷିନୀତି ଓଡ଼ିଶାର କୃଷି କ୍ଷେତ୍ରରେ ଏକ ବ୍ୟାପକ ଓ ସୁସଂଗତ ପ୍ରଗତିଶୀଳ ପରିବର୍ତ୍ତନ ଆଣିବାରେ ପଥ ପ୍ରଦର୍ଶକ ହେବ । ଏହା ଓଡ଼ିଶାର ଅର୍ନ୍ତନିହିତ ଶକ୍ତିର ବିକାଶ କରାଇବା ସଙ୍ଗେ ସଙ୍ଗେ ବିଭିନ୍ନ ବାଧାବିଘ୍ନକୁ ସମାଧାନ କରିବାର ପଦକ୍ଷେପ ନେବ ଏବଂ ରାଜ୍ୟର ଅମାପ ସଂପଦ ଓ ସୁଯୋଗର ସୁବିନିଯୋଗ ନିମନ୍ତେ ଏକ ପଥ ପଦର୍ଶକ ହେବ ।
ରାଜ୍ୟ କୃଷିନୀତି ଏକ ସ୍ୱୟଂସଂପୂର୍ଣ୍ଣ, ସମକାଳୀନ ଓ ବ୍ୟାପକ ସଂସ୍କାର ମାଧ୍ୟମରେ ଓଡିଶା କୃଷିର ସର୍ବାଙ୍ଗୀନ ଉନ୍ନତି ସାଧନ କରି ରାଜ୍ୟର କୃଷକମାନଙ୍କୁ ବିକାଶ ପଥରେ ପରିଚାଳିତ କରିବ ।