ଧିଙ୍ଗିରି ଛତୁ ଚାଷ ପ୍ରଣାଳୀ ….

 ଓଡ଼ିଶାର ଜଳବାୟୁକୁ ଆଧାରକରି ମୁଖ୍ୟତଃ ଦୁଇପ୍ରକାରର ଛତୁଚାଷ କରାଯାଇଥାଏ । ଏହି ଦୁଇପ୍ରକାରର ଛତୁ ମଧ୍ୟରୁ ପାଳ ଛତୁଟି ବର୍ଷର ମୁଖ୍ୟତଃ ମାର୍ଚ୍ଚଠାରୁ ଅକ୍ଟୋବର ମାସ ଯାଏ ଚାଷ ହୋଇଥାଏ । 
ଅନ୍ୟ ଛତୁଟି ହେଲା ଧିଙ୍ଗିରି ଛତୁ 
ଏହା ନଭେମ୍ବର ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏବେ ଧିଙ୍ଗିରି ଛତୁଚାଷର ସମୟ । ଧିଙ୍ଗିରି ଛତୁର ରଙ୍ଗ, ଆକାର ଓ ବାସ୍ନା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହି ଛତୁ ବ୍ୟବସାୟିକ ଦୃଷ୍ଟିରୁ ଚାଷୀକୁ ଭଲ ଲାଭ ଦେଇଥାଏ ।
 

ଧିଙ୍ଗିରି ଛତୁ ଚାଷ ପ୍ରଣାଳୀ…

କମ୍ ସ୍ଥାନ, କମ୍ କଞ୍ଚାମାଲ୍ ଓ କମ୍ ମୂଳଧନରେ ଏହି ଛତୁଚାଷ କରାଯାଇପାରେ । ଏତଦ୍ ବ୍ୟତୀତ ଏହାର ଜୈବଦକ୍ଷତା ଶତପ୍ରତିଶତ, ଅର୍ଥାତ ଯେତିକି ଓଜନର କଞ୍ଚାମାଲ୍ ଏଥିରେ ପ୍ରୟୋଗ ହୋଇଥାଏ , ସେହି ପରିମାଣର କିମ୍ବା ତାହାଠାରୁ ଅଧିକ ପରିମାଣର ଛତୁ ଉତ୍ପାଦିତ ହୋଇଥାଏ । ଆପଣ ଯଦି ୧କିଲୋ ଶୁଖିଲା ନଡା ନେବେ ସେହି ୧କିଲୋ ପାଖାପାଖି ଛତୁ ପାଇବେ । ଏହାର ଉତ୍ପାଦନ କ୍ଷମତା ଶତ ପ୍ରତିଶତ ଅଟେ । ଥରେ ବେଡ଼ ତିଆରି କରିଦେଲେ ଏହା ନିୟମିତ ବ୍ୟବଧାନରେ ୩ କି ୪ ମାସ ପର୍ଯ୍ୟନ୍ତ ଅମଳ ଦେଇଚାଲେ । ଏହି ଛତୁ ହେବା ପାଇଁ ମାସେ ସମୟ ନିଏ । 
ପ୍ରଥମେ ଗୋଟେ କୁଣ୍ଡ ତିଆରି କରିବେ ।କଟା ଯାଇଥିବା ନଡା ସବୁ କୁ ବସ୍ତା ଭିତରେ ବାନ୍ଧି ଦେବେ । ସେ ସବୁ ବସ୍ତା କୁ ସେହି କୁଣ୍ଡ ଭିତରେ ରଖି ତା ଉପରେ କିଛି ବାଉଁଶ ଦେଇ ଦେବେ । ତା ଉପରେ ଚୁନ ମିଶା ପାଣି କୁ ଢାଳି ଦେବେ ।ଚାହିଁଲେ କିଛି ପରିମାଣରେ ବ୍ୟଭିଷ୍ଟିନ ମିଶା ପାଣି ଦେଇପାରିବେ ।ନହେଲେ ଗରମ ପାଣି ଢାଳି ପାରିବେ । ସେ ସବୁ ନଡ଼ାକୁ ୮ରୁ ୧୦ ଘଣ୍ଟା ଛାଡ଼ିଦେବେ । ତାପରେ ବସ୍ତା ଗୁଡିକ କୁଣ୍ଡ ଭିତରୁ କାଢି ଛିଡା କରେଇ ରଖିବେ ଯେପରି ପାଣି ନିଗିଡି ଯିବ ଏବଂ ନଡା ଗୁଡିକ ହାତକୁ ଓଦା ଲାଗୁଥିବ କିନ୍ତୁ ପାଣି ବାହାରୁ ନ ଥିବ । ନଡା ଗୁଡିକୁ ବସ୍ତା ରୁ ବାହାର କରିଦେବେ । ତାପରେ ବେଡ଼ ପ୍ରସ୍ତୁତି ପାଇଁ ଦୁଇପଟ ମୁହଁ ଖୋଲାଥିବା ପଲିଥିନ ଜରି ବ୍ୟାଗ ନେବେ ଓ ତଳ ପଟ ଜରି ମୁଁହଁ ବାନ୍ଧି ଦେବେ । ପ୍ରଥମେ କିଛି ନଡା ନେବେ ତା ଉପରେ ଧିଙ୍ଗିରି ଛତୁ ମଂଜିକୁ ଚୁନା କରି ପକାଇବେ ଏହିପରି ସ୍ତର ସ୍ତର କରି ଉପରେ ନଡା ଦେଇ ଜରି ଉପର ମୁଂହ ବାନ୍ଧିଦେବେ । ଜରି କୁ ଚାରି ଆଡୁ କଣା କଣା କରିଦେବେ । ତାପରେ ଅନ୍ଧାରୁଆ ଜାଗାରେ ସବୁ ଜରି କୁ ରଖିଦେବେ । ୧୫ ଦିନ ପରେ ଜରି ଭିତରେ ମାଇସିଲ ହୋଇଗଲେ ଟିକେ ଆଲୁଅ ଜାଗାରେ ନେଇ ଜରି କୁ ଧୀରେ କରି ଦୁଇମୁହଁ ଖୋଲି ନଡା କାଢି ଦେବେ । ପାଳ ଛତୁ ରେ ଯେତିକି ଆଲୋକ ଦରକାର ହୁଏ, ଏ ଛତୁ ରେ ତାର ଏକ ଭାଗ ଆଲୁଅ ଦରକାର କରେ । ତଳେ ବ୍ୟାଗ ରଖିବା ଅପେକ୍ଷା ବ୍ୟାଗ କୁ ଝୁଲାଇ ବା ଭାଡ଼ି କରି ରଖିଲେ ଜରି ତଳେ ମଧ୍ୟ ଛତୁ ହୋଇଥାଏ ।
ପୃଥିବୀର ବିଭିନ୍ନ ଦେଶରେ ଅନେକ ପ୍ରକାରର ଧିଙ୍ଗିରିଛତୁ ଚାଷ ହେଉଥିଲା ବେଳେ, ଧିଙ୍ଗିରି ଛତୁର କେତୋଟି ଲୋକପ୍ରିୟ ପ୍ରଜାତି ସଂପର୍କରେ ଜାଣିବା ।
 

ଧିଙ୍ଗିରି ଛତୁ ର ବିଭିନ୍ନ ପ୍ରଜାତି…

 କେତେକ ପ୍ରଜାତୀୟ ଧିଙ୍ଗିରି ଛତୁରେ ଔଷଧିୟ ଗୁଣ ମଧ୍ୟ ରହିଛି। 

ଏରି
ଏହି ପ୍ରଜାତିର ଛତୁ ଆକାରରେ ପାଳଛତୁ / ଦୁଗ୍ଧ ଛତୁର ଆକାର ସହିତ ସାମଞ୍ଜସ୍ୟ ରଖେ । ମୂଳ ଅଂଶଟି ଦଣ୍ଡାକୃତି ହୋଇଥିବାବେଳେ ଉପର ଅଂଶଟି ସାମାନ୍ୟ ଛତ୍ରାକାର । ଏହା ବୁଦା ବୁଦା ହୋଇ ଫୁଟିଥାଏ । ଏହାର ସମଗ୍ର ଅଂଶଟି ମାଂସାଳ । ଖାଇବା ପାଇଁ ରୁଚିକର । ଆଚାର ପ୍ରଣାଳୀରେ ଏହା ଏକ ବର୍ଷ ପାଇଁ ସଂରକ୍ଷଣ ହୋଇ ରହିପାରେ । ଏହାର ଜୈବ ଦକ୍ଷତା ଶତ ପ୍ରତିଶତ ଏଥିପାଇଁ ରୁ ତାପମାତ୍ରା ରୁ ଆର୍ଦ୍ରତା ଦରକାର ପଡ଼ିଥାଏ। ଏହାକୁ ଧିଙ୍ଗିରିଛତୁ ମଧ୍ୟରେ ରାଜା କୁହାଯାଏ ।

ହିପ୍ସିଜାଇଗସ୍
ଏହି ଛତୁଟିର ଅନ୍ୟନାମ ହେଲା ବ୍ଲୁ ଅୟଷ୍ଟର । ଏହା ଏକ ଲୋକପ୍ରିୟ ପ୍ରଜାତି । ଗତ କିଛି ବର୍ଷ ହେବ ଓଡ଼ିଶାର ଛତୁଚାଷୀଙ୍କ ପାଇଁ ଏହି ଛତୁଟି ବରଦାନ ସଦୃଶ ହୋଇଛି । ଏହାର ଜୈବ ଦକ୍ଷତା ଶତ ପ୍ରତିଶତଠାରୁ ଅଧୁକ । ଏହି ପ୍ରଜାତି ଛତୁଟି ଦେଖ୍ବାକୁ ନୀଳରଙ୍ଗର ହୋଇଥିବାରୁ ଏହାକୁ ବ୍ଲୁ ଅୟଷ୍ଟର ନାମରେ ଅଧିକାଂଶ ଚାଷୀ ଜାଣନ୍ତି । ଛତୁଟି ବୁଦା ବୁଦା ହୋଇ ବ୍ୟାଗରେ ଫୁଟିଥାଏ । ପ୍ରଥମେ ଗାଢ଼ କଳାରଙ୍ଗର କଢ଼ ସୃଷ୍ଟି ହୋଇ ଏହା କ୍ରମଶ: ନୀଳରଙ୍ଗର ହୋଇଥାଏ । ଅଧୁକଦିନ ବ୍ୟାଗରେ ରହିଗଲେ ଏହା ମାଟିଆ ରଙ୍ଗର ହୋଇଯାଇଥାଏ । ଏହି ଛତୁଟି ପାଇଁ ୧୫° ରୁ ୨୫° ସେଣ୍ଟିଗ୍ରେଡ଼୍ ତାପମାତ୍ରା ଏବଂ ୮୦% ରୁ ୯୦% ଆର୍ଦ୍ରତା ଆବଶ୍ୟକ ହୋଇଥାଏ । ଯାହାକି ଶୀତ ଋତୁରେ ଓଡ଼ିଶାରେ ମିଳିଥାଏ । ଏବେ ଏହା ଓଡ଼ିଶାର ଛତୁଚାଷୀଙ୍କର ପ୍ରଥମ ପସନ୍ଦର ଛତୁ।

ଫ୍ଲୋରିଡ଼ା
ସଫେଦ୍ ଧଳାରଙ୍ଗ ସହିତ ବ୍ୟାଗରେ ବୁଦା ବୁଦା ହୋଇ ଫୁଟୁଥିବା ଛତୁଟି ହେଉଛି ଫ୍ଲୋରିଡ଼ା ପ୍ରଜାତିର ଧିଙ୍ଗିରି ଛତୁ। ଏହା ଦେଖିବାକୁ ଆକର୍ଷଣୀୟ । ଥରେ ବ୍ୟାଗରେ ଏହି ପ୍ରଜାତିର ଫିମ୍ପିଟି ମାଡ଼ିଗଲେ ଏହା ଅମଳଦେବା ନିଶ୍ଚିତ ହୋଇଯାଏ । ଏହାର ଉତ୍ପାଦିକା ଶକ୍ତି ଶତ ପ୍ରତିଶତଠାରୁ ଅଧିକ । ଏହା ବ୍ୟାଗରେ କଢ଼ ହୋଇ ଫୁଟିବାର ଦୁଇଦିନ ମଧ୍ୟରେ ତୋଳିବା ଦରକାର । ଅଧିକ ଦିନ ହୋଇଗଲେ ଏହା ସିଝିବା ପାଇଁ ଅଧିକ ସମୟ ନେଇଥାଏ। ଏବଂ ଖାଇବାକୁ ଭଲ ଲାଗେନାହିଁ। ତେଣୁ ଏହାକୁ କଢ଼ ବାହାରିବାର ୨/୩ ଦିନ ମଧ୍ୟରେ ତୋଳି ବଜାରକୁ ପଠାଇବା ଦରକାର । ଏହି ପ୍ରଜାତିଟି ପାଇଁ ୧୫ରୁ ୨୫° ସେଣ୍ଟିଗ୍ରେଟ୍ ଉତ୍ତାପ ସହିତ ୮୦% ରୁ ୯୦% ଆର୍ଦ୍ରତା ଦରକାର ପଡ଼ିଥାଏ ।

ସାଜୋରକାଜୁ
ଶୀତ ଦିନର ପାଳଛତୁ କହି ଏହି ପ୍ରଜାତିର ଧିଙ୍ଗିରି ଛତୁକୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଅନ୍ୟାନ୍ୟ ଧିଙ୍ଗିରି ଛତୁ ଅପେକ୍ଷା ଏହି ପ୍ରଜାତିର ଛତୁଟିର ସ୍ଵାଦ ଗ୍ରାହକଙ୍କର ପ୍ରଥମ ପସନ୍ଦ । ଆକାଶିଆ, ନୀଳରଙ୍ଗର ଏହି ଛତୁଟି ବ୍ୟାଗରେ ଗୋଟି ଗୋଟି ହୋଇ ଫୁଟିଥାଏ । ଏଥିପାଇଁ ବ୍ୟାଗଟିକୁ ସମ୍ପୂର୍ଣ୍ଣ ଖୋଦେଇବାକୁ ପଡ଼ିଥାଏ । ବ୍ୟାଗ୍ ସାରା ଭର୍ତ୍ତି ହୋଇ ଏହି ଛତୁଟି ଫୁଟିଥାଏ । ବଜାରରେ ଗ୍ରାହକଙ୍କର ଚାହିଦା ମୁତାବକ ଏହା ନିୟମିତ ଅମଳ ଦେଇ ନ ଥାଏ । ଏହାର ଜୈବ ଦକ୍ଷତା ଅନ୍ୟ ଧିଙ୍ଗିରି ଛତୁ ଅପେକ୍ଷା କମ୍ ତେଣୁ ଏହା ଚାଷୀକୁ ଅନ୍ୟ ଛତୁ ତୁଳନାରେ ଅଧିକ ଲାଭ ଦେଇପାରେ ନାହିଁ । ଏହା ୧୫° ରୁ ୩୦° ଉତ୍ତାପ ଏବଂ ୮୦% ରୁ ୯୦% ଆର୍ଦ୍ରତାରେ ଅମଳ ଦେଇଥାଏ ।

ଅଷ୍ଟ୍ରିଆଟସ୍
ଆକାରରେ ବଡ଼, ନରମ ଏବଂ ମାଂସଳ ଧିଙ୍ଗିରି ଛତୁ ପ୍ରଜାତିଟିର ନାମ ହେଲା ଅଷ୍ଟ୍ରିଆଟସ୍ । ଏହି ଛତୁଟି ଅଧିକ ନରମ ହୋଇଥିବାରୁ ଠିକ୍ ସମୟରେ ଅମଳ ନ କଲେ ଏହା ବ୍ୟାଗରୁ ଛିଣ୍ଡିପଡ଼େ । ବୁଦା ବୁଦା ହୋଇ ବ୍ୟାଗରେ ଫୁଟିଥାଏ । ଏହି ଛଦ୍ମରେ ଔଷଧୀୟ ଗୁଣ ଥିବା କାରଣରୁ ଶରୀରରେ ଟ୍ୟୁମର ହେବାକୁ ଦିଏନାହିଁ । ଏହା କ୍ୟାନସର ରୋଗକୁ ପ୍ରତିରୋଧ କରିଥାଏ । ଅନ୍ୟ ଧିଙ୍ଗିରି ଛତୁଭଳି ଏହାର ସ୍ଵାଦ ସାଧାରଣ ଉତ୍ପାଦନ ପାଇଁ ୧୦° ରୁ ୨୦° ସେଣ୍ଟିଗ୍ରେଡ୍ ତାପମାତ୍ରା ସହିତ ୮୦% ରୁ ୯୦% ଆର୍ଦ୍ରତା ଦରକାର ।

ଡି-ଜାମୁର
ଗୋଲାପି ରଙ୍ଗର ଏହି ଧଙ୍ଗିରି ଛତୁଟି ଦେଖିବାକୁ ସୁନ୍ଦର । ଏହି ଛତୁର ଅନ୍ୟଏକ ପ୍ରଜାତି ହେଲା ଇଓସ୍ । ଏହି ଦୁଇଟିଯାକ ପ୍ରଜାତିର ଛତୁସବୁଠାରୁ କମ୍ ଦିନରେ ଅମଳ ଦେଇଥାଏ । ଅର୍ଥାତ୍ ଅନ୍ୟ ଧିଙ୍ଗିରି ଛତୁ ୨୦ ଦିନ ପରେ ଅମଳ ଦେଉଥିବା ବେଳେ ଏହି ଛତୁଟି ପାଳଛତୁର ସମୟସୀମା ଅର୍ଥାତ୍ ୧୨/୧୫ ମଧ୍ୟରେ ଅମଳ ଦେଇଥାଏ । ଏହି ପ୍ରଜାତିଟି ଗୋଲାପି ରଙ୍ଗର ହୋଇ କଢ଼ ବାହାରିଥାଏ । କ୍ରମଶଃ ଏହା ବଡ଼ ହୋଇ କସରା ରଙ୍ଗର ହୋଇଥାଏ । ଗୋଲାପି ରଙ୍ଗ ଅବା ସମୟରେ ଏହା ଖାଇବାକୁ ସୁସ୍ୱାଦୁ ଲାଗେ କିନ୍ତୁ କସରା ରଙ୍ଗ ହୋଇଗଲେ ଏହା ଦାନ୍ତରେ ଛିଣ୍ଡିବା କଷ୍ଟକର । ତେଣୁ ଏହାକୁ ଗୋଲାପି ରଙ୍ଗ ଥିବା ସମୟରେ ତୋଳି ବିକ୍ରୟ କରିବା ଆବଶ୍ୟକ । ଏହା ୧୫° ରୁ ୩୦° ସେଣ୍ଟିଗ୍ରେଡ୍ ଉତ୍ତାପ ଏବଂ ୮୦% ରୁ ୯୦% ଆର୍ଦ୍ରତା ଦରକାର କରିଥାଏ । ଏହାର ଜୈବ ଦକ୍ଷତା ୫୦ରୁ ୬୦ ପ୍ରତିଶତ

ସିଟ୍ରିନୋପିଲେଟସ୍
ହଳଦୀ ରଙ୍ଗର ଏହି ଛତୁଟି ରଙ୍ଗ ଦୃଷ୍ଟିରୁ ଧିଙ୍ଗିରି ଛତୁ ମଧ୍ୟରେ ଏକ ଅନ୍ୟତମ ଆକର୍ଷଣୀୟ ଛତୁ । ଏହାର ଅନ୍ୟନାମ ସୁନେଲି ଛତୁ । ବ୍ୟାଗରେ ଘଞ୍ଚ ହୋଇ ଫୁଟୁଥିବା ଏହି ଛତୁଟି । ଛତୁ ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ଏହା ଖାଇବାପାଇଁ ବେଶ୍ ରୁଚିକର । ଏହି ପ୍ରଜାତିଟି କମ୍ ଥଣ୍ଡାରେ ଅମଳ ଦିଏନାହିଁ। ଏହା ପାଇଁ ୧୦/୧୫° ସେଣ୍ଟିଗ୍ରେଡ଼୍ ତାପମାତ୍ରା ସାଙ୍ଗକୁ ୮୦% — ୯୦% ଆର୍ଦ୍ରତା ଦରକାର ପଡ଼ିଥାଏ । ଏହାର ଜୈବ ଦକ୍ଷତା ୫୦ ରୁ ୬୦ ପ୍ରତିଶତ। ଏହା ବ୍ୟତିରେକ ଅନେକ ପ୍ରଜାତିର ଧିଙ୍ଗିରି ଛତୁ ପୃଥିବୀର ବିଭିନ୍ନ ଦେଶରେ ଚାଷ କରାଯାଇଥାଏ ।
 

ଅଧିକ ଜାଣିବା ପାଇଁ କମେନ୍ଟ ବକ୍ସ ରେ ଲେଖି ଜଣାନ୍ତୁ

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!