
ପ୍ରମୁଖ କାର୍ଯ୍ୟକ୍ରମ
- କୃଷି ସାମଗ୍ରୀ, ତାହାର ଉତ୍ପାଦନ ଓ ବଜାର ସହିତ ସଂଯୁକ୍ତିକରଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା
- ଧାନ ଉତ୍ପାଦନର ନିରନ୍ତର ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟଯୁକ୍ତ କୃଷିର ବିବିଧିକରଣକୁ ପ୍ରାଧାନ୍ୟ ଦିଆଯାଇଛି ।
- କୃଷି ସାଧନ ଯଥା : ଭୂମି, ଜଳ ଓ ମୃତ୍ତିକାର ଦକ୍ଷ ବ୍ୟବହାର ଏବଂ ପରିବେଶ ଉପଯୋଗୀ ହେବା ପାଇଁ ଉତ୍ସାହିତ କରାଯାଇଛି ।
- କୃଷିଜାତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପାଇଁ ଉତ୍ପାଦିତ ସାମଗ୍ରୀକୁ ପରିସ୍କାର କରିବା, ବର୍ଗୀକରଣ କରିବା ଏବଂ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ।
- ବିଶେଷ ଭାବରେ ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦିର ମୂଲ୍ୟ ଶୃଙ୍ଖଳ ସୃଷ୍ଟି କରିବା ଏହି କୃଷି ନୀତିର ମୂଳଲକ୍ଷ୍ୟ ।
- କୃଷି ଉତ୍ପାଦ ସଂଗଠନ ମାଧ୍ୟମରେ କୃଷକମାନଙ୍କ ଏକତ୍ରିକରଣକୁ ଉତ୍ସାହିତ ନିମନ୍ତେ ।
- ପ୍ରାକ ଓ ଅମଳ ପରବର୍ତ୍ତୀ ପରିଚାଳନା କରି ଅପଚୟ କମ୍ କରିବା ।
- ଜଳବାୟୁ ପରିବର୍ତ୍ତନକୁ ଖାପଖୁଆଇବା ପରି ଜ୍ଞାନ କୌଶଳ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ପରିଚାଳନା ।
- ଯୋଜନା ପ୍ରଣୟନ ଓ ପର୍ଯ୍ୟାଲୋଚନା ନିମନ୍ତେ ବିଭିନ୍ନ ତଥ୍ୟ (ଡାଟା) ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା।
- ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡିକର ସଫଳ ରୂପାୟନ କରିବା ।
ପଞ୍ଚବାର୍ଷିକ ଲକ୍ଷ୍ୟ
୧. ଜମି ଜମା ରେକର୍ଡ ସଂକ୍ରାନ୍ତୀୟ ତଥ୍ୟର ଶତପ୍ରତିଶତ ନିୟମିତ ନବୀକରଣ (updation) ଓ ଅଙ୍କିକରଣ (digitization) କରିବା ।
୨. କାଳିଆ ଯୋଜନାରେ ସାମିଲ ହୋଇଥିବା ଓ ବାଦ ପଡିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରି ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବା ଓ ପ୍ରତ୍ୟେକ ଯୋଗ୍ୟ କୃଷି ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଲାଗି ନିଶ୍ଚିତ କରାଇବା ।
୩. ଡି.ବି.ଟି (ସିଧାସଳଖ ସହାୟତା ପ୍ରେରଣ)ର ଶତପ୍ରତିଶତ କାର୍ଯ୍ୟାନ୍ୱୟନ ଏବଂ ସରକାରୀ କାର୍ଯ୍ୟକ୍ରମର ଇଲେକ୍ଟ୍ରୋନିକ ମାଧ୍ୟମରେ ତଦାରଖ କରିବା ।
୪. ଓଡ଼ିଶାର ସମସ୍ତ କୃଷକ, ଶ୍ରମିକ, ପ୍ରଜାଚାଷୀ ଓ ଭାଗଚାଷୀଙ୍କର ଶତପ୍ରତିଶତ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ କରିବା ।
୫. ରାଜ୍ୟର ଅନ୍ୟୁନ ଶତକଡା ୭୫ ଭାଗ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରାଇବା ।
୬. ଅନ୍ୟୁନ ୫ ଲକ୍ଷ ହେକ୍ଟର ପଡିଆ ଜମିକୁ ଚାଷୋପଯୋଗୀ କରାଇବା ।
୭. ବାର୍ଷିକ ଅନ୍ତତଃ ୧ ଲକ୍ଷ ହେକ୍ଟର ଢିପ ଜମିକୁ ଉଚ୍ଚ ମୂଲ୍ୟଯୁକ୍ତ କୃଷିକୁ ପରିବର୍ତ୍ତିତ କରାଇବା ।
୮. ରବିଋତୁରେ ଚାଷ ହେଉଥିବା ସମୁଦାୟ ଜମିରୁ ୨.୩ ନିୟୁତ ହେକ୍ଟରରେ କିଛି ଅଂଶ ଡାଲିଜାତୀୟ ଫସଲରୁ ଉଦ୍ୟାନଭିତ୍ତିକ ଫସଲ ଚାଷରେ ପରିବର୍ତ୍ତିତ କରିବ ।
୯. ଅନ୍ୟୁନ ୦.୧ ମିଲିଅନ୍ ହେକ୍ଟର ଜମିକୁ ଅଣୁ ଜଳସେଚନ ବ୍ୟବସ୍ଥାରେ ସେଚ ଜଳ ଯୋଗାଇବା
୧୦. ଜଳସେଚନର କ୍ଷମତା ବୃଦ୍ଧି- ବ୍ୟବହୃତ ଜଳସେଚନ ଓ ନିର୍ମିତ ଜଳସେଚନ କ୍ଷମତାର ଅନୁପାତ ଯାହା ବର୍ତ୍ତମାନ ଶତକଡା ୪୩ ଭାଗ ଅଛି ତାହାକୁ ଅନ୍ୟୁନ ଶତକଡା ୭୦ ଭାଗକୁ ବୃଦ୍ଧି କରିବା ।
୧୧. ତୈଳବୀଜ, ଖାଦ୍ୟଶସ୍ୟ ଯଥା ମକା ଆଦି କ୍ଷେତ୍ରରେ ମୋଟ ଉତ୍ପାଦନର ଅନ୍ୟୁନ ଶତକଡା ୨୫ ଭାଗସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବ ।
୧୨. ଗୋପାଳନ ନିମନ୍ତେ, ସଂଗଠିତ ପ୍ରଜନନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଆଗାମୀ ୫ ବର୍ଷରେ ଅନ୍ୟୁନ ୧.୫ ମିଲିୟନ ପ୍ରଜନନକ୍ଷମ ପ୍ରାଣୀମାନଙ୍କୁ ଏଥିରେ ସାମିଲ କରାଯିବ ।
ଏହି କୃଷିନୀତି ଏକ ଉତ୍ତମ ଶାସନ ବ୍ୟବସ୍ଥାର ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି ଯେଉଁଥିରେ ଚାଷୀଭାଇମାନେ ଦକ୍ଷ, ସମୟାନୁବର୍ତ୍ତୀ, ବାସ୍ତବବାଦୀ ଓ କ୍ରିୟାଶୀଳ ହୋଇପାରିବେ, ଯାହାକି ୫-ଟି ଯଥା- ବୈଷୟିକଜ୍ଞାନ, ଦଳଗତ କାର୍ଯ୍ୟ, ସମୟ, ସ୍ୱଚ୍ଛତା ଏବଂ ସ୍ୱରୂପ ପରିବର୍ତ୍ତନର ମୌଳିକ ଆଧାର । ୫-ଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ଏହି କୃଷିନୀତିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟଧାରାର ତାଲିକା ପ୍ରସ୍ତୁତ କରାଯାଇଛି ।
ସମୃଦ୍ଧି କୃଷି ନୀତି-୨୦୨୦ର ମୁଖ୍ୟାଂଶ ନିମ୍ନରେ ପ୍ରଦତ୍ତ ହୋଇଛି ।
ନୀତି ନିର୍ଦ୍ଧାରଣ ସମନ୍ଧୀୟ ସୁପାରିଶ
୦୧ . ରାଜ୍ୟର ନିର୍ଦ୍ଧାରିତ ଉତ୍ପାଦନ ସମୁହ/ପୁଞ୍ଜମାନଙ୍କରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ସହ ବଜାରର ସଂଯୋଗୀକରଣ କରାଯିବ । ଏଥିସକାଶେ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯାଇ ଜିଲ୍ଲା ସ୍ତରରେ କୃଷି ବିଭାଗ ଦ୍ୱାରା କୃଷି ପରିବେଶ ସମ୍ବନ୍ଧୀୟ ମାନଚିତ୍ର ପ୍ରସ୍ତୁତ କରାଯିବ ଏବଂ ଏହା ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତିର ଆଧାର ହେବ ଯାହାକି ଜିଲ୍ଲାରେ ଏକ ଆଦର୍ଶ ଫସଲ ପର୍ଯ୍ୟାୟ ନିର୍ଣ୍ଣୟ କରିବାରେ ସହାୟକ ହେବ।
ଏହି ଆଞ୍ଚଳିକ ଉତ୍ପାଦନ ଅଞ୍ଚଳ ଏବଂ ପୁଞ୍ଜ (ପୂର୍ଣ୍ଣ ବା କ୍ଷୁଦ୍ର ସମୁହ) ଗୁଡ଼ିକୁ ସହାୟତା ଆକାରରେ ଭିତ୍ତିଭୂମି ପୁଞ୍ଜିଲଗାଣ ଏବଂ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମ ତଥା ବେସରକାରୀ ସଂସ୍ଥାରୁ ସହାୟତା ପାଇପାରିବେ । ଏହି ଉତ୍ପାଦନ ପୁଞ୍ଜ/ ସମୁହ ସବୁ ବଜାର ସହ ସଂଯୋଗ ହେବେ ଏବଂ ଏକ ଦକ୍ଷ ମୂଲ୍ୟ ଶୃଙ୍ଖଳ ପ୍ରସ୍ତୁତ ହେବ, ଯଦ୍ୱାରା ଚାଷୀମାନେ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇ ପାରିବେ ।
୦୨. ବିଶେଷଜ୍ଞ ଅନୁଷ୍ଠାନ ଓ ପ୍ରଯୁଜ୍ୟ ସରକାରୀ ବିଭାଗଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଜମିର ସାମର୍ଥ୍ୟ ମୁତାବକ
ବିଭାଗୀକରଣ ଏବଂ ମୃତ୍ତିକା ଖାଦ୍ୟସାର ମାନଚିତ୍ର ପ୍ରସ୍ତୁତ କରାଯିବ ।
୦୩ . ସାଧାରଣ ଭିତ୍ତିଭୂମି ସୁବିଧା ଥାଇ, କୃଷି ବିଭାଗ ଓ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (APEDA) ସହାୟତାରେ ରପ୍ତାନୀ ଭିତ୍ତିକ ପୁଞ୍ଜ ପ୍ରସ୍ତୁତ କରାଯିବ ।
୦୪. ଆଦର୍ଶ ଚୁକ୍ତିଭିତ୍ତିକ କୃଷି ଆଇନ-୨୦୧୮କୁ ଅବଲମ୍ବନ କରାଯିବାକୁ ଉଦ୍ୟମ କରାଯିବ ଏବଂ ଏହାର ସୁପରିଚାଳନା ଓ ତ୍ୱରିତ ବିବାଦ ସମାଧାନ ପଦ୍ଧତି ନିମନ୍ତେ ବ୍ୟବସ୍ଥା କରାଯିବ ।
୦୫. ରାଜ୍ୟର ଆବଶ୍ୟକତା ଅନୁସାରେ ଆଦର୍ଶ କୃଷି ଉତ୍ପାଦ ଓ ପ୍ରାଣୀଧନ ବି ଣନ ଆଇନ୍ (APLM) ୨୦୧୭କୁ
ସଂଶୋଧନ କରାଯାଇ କାର୍ଯ୍ୟକାରୀ କରାଯିବ ।
୦୬. ଆବଶ୍ୟକୀୟ ସଂଶୋଧନ କରାଯାଇ ଆଦର୍ଶ କୃଷି ଭୂମି ଭଡ଼ା ଆଇନ-୨୦୧୬କୁ ଗ୍ରହଣ କରାଯିବ । ଜମି ମାଲିକଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ।
୦୭. ବିଭିନ୍ନ ଜିନିଷର ଇ-ବାଣିଜ୍ୟ ବ୍ୟବସ୍ଥାକୁ eNAM ପୋର୍ଟାଲ ମାଧ୍ୟମରେ ପ୍ରୋତ୍ସାହିତ କରାଯିବ ।
୦୮. ଏକ ସ୍ଥିର ଓ ଦୂରଦର୍ଶୀ ନୀତି ପରିବେଶ ପ୍ରସ୍ତୁତି କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ – ୧୯୫୫ର ବିଜ୍ଞପ୍ତିକୁ ପୁନଃସମୀକ୍ଷା କରାଯିବ।
୦୯. ‘FUTURES’ ଓ ‘OPTIONS’ ପରି ବିତ୍ତିୟ ସାଧନକୁ ଉପଯୋଗ କରାଯିବ । ଯଦ୍ୱାରା ମକା ଫସଲ ଭଳି ଘରୋଇ ଓ ଆନ୍ତର୍ଜାତୀୟ ଚାହିଦା ଥିବା ଫସଲର ବଜାର ସୃଷ୍ଟି କରାଯାଇପାରିବ ।
୧୦. ଅପେକ୍ଷାକୃତ ଗରୀବ ଚାଷୀ ଅବସ୍ଥାନ କରୁଥିବା ବୃଷ୍ଟିପୁଷ୍ଟ ଅଞ୍ଚଳର କୃଷି ସମସ୍ୟା ସବୁର ସମାଧାନ ପାଇଁ ଏକ ପୃଥକ ୱିଣ୍ଡୋ (window) ପ୍ରସ୍ତୁତ କରାଯିବ ।
୧୧. ରାଜ୍ୟ ପାଇଁ ଏକ ନୂତନ ‘ଫସଲର ରୋଗ ପୋକ ପରିଚାଳନା ନୀତି’ ପ୍ରଣୟନ କରାଯିବ ଓ ଏହାଦ୍ୱାରା ସେଥିରେ ତଥ୍ୟ ସମ୍ବଳିତ ସମନ୍ୱିତ ରୋଗ ପୋକ ପରିଚାଳନା ପାଇଁ ସୁଯୋଗ ରହିବ ।
୧୨. ‘କାଳିଆ’ ଯୋଜନାର ସଫଳତା ଆଧାରରେ କୃଷି ଆନୁସଙ୍ଗିକ କ୍ଷେତ୍ର ଯଥା ଗୋପାଳନ, ପକ୍ଷୀପାଳନ, ମହୁମାଛି ପାଳନ ଆଦିକୁ ଏହି କୃଷିନୀତିରେ ପ୍ରୋତ୍ସାହନ ଦିଆଯିବ । ପୁନଶ୍ଚ କୃଷିନୀତିରେ ଏକ ସମନ୍ୱିତ ପଦ୍ଧତିରେ କୃଷି ଶ୍ରମିକ ମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ କ୍ରିୟାଶୀଳ ଓ ଉପଯୋଗୀ ବଳିଷ୍ଠ ଏବଂ ଫଳପ୍ରଦ କୃଷି ସଂପ୍ରସାରଣ ପଦ୍ଧତି, ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଗୁଣାତ୍ମକ ମାନର ସାମଗ୍ରୀ ଯୋଗାଣ, ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥାର ଉପଲବ୍ଧି ପାଇଁ ସମନ୍ୱୟ ରଖାଯିବ ।
୧୩. ଓଡିଶାର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ କୃଷି ଯାନ୍ତ୍ରିକୀକରଣରେ ସହାୟତା ନିମନ୍ତେ ଏକ ନୂତନ ସହାୟତା ପଦ୍ଧତି ପ୍ରସ୍ତୁତ କରାଯିବ । ଏହି ପଦ୍ଧତିରେ କୃଷି ଉପକରଣର ଭଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ବାବଦକୁ ହେଉଥିବା ଖର୍ଚ୍ଚରେ ରିହାତି ରାଜ୍ୟ ସରକାର ଡି.ବି.ଟି. ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା କରିବେ।
୧୪. ଆଗାମୀ ଦୁଇ ବର୍ଷରେ ସମସ୍ତ ଦୁଧିଆଳୀ ପ୍ରାଣୀମାନଙ୍କୁ ଟ୍ୟାଗ୍ ଦିଆଯାଇ ଚିହ୍ନଟ କରାଯିବ ଏବଂ ସମସ୍ତ ପ୍ରାଣୀଧନକୁ ବୀମାଭୁକ୍ତ କରାଯାଇ ବୀମା ପ୍ରିମିୟମ ଉପରେ ସରକାର ଅନ୍ତତଃ ୫୦ ଭାଗ ରିହାତିର ବ୍ୟବସ୍ଥା କରିବେ।
୧୫. ବର୍ତ୍ତମାନ ରାଜ୍ୟର କୃଷି ଗବେଷଣା ବିକାଶ ଓ ସଂପ୍ରସାରଣ ସଂସ୍ଥାର ଆଭିମୁଖ୍ୟ, ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିକୁ ପରିବର୍ତ୍ତନ କରାଯାଇ ମୂଲ୍ୟ ଶୃଙ୍ଖଳ ଆଧାରିତ ବା ବଜାର ଆଧାରିତ କରାଯିବ । କୃଷି କ୍ଷେତ୍ରର ପ୍ରତ୍ୟେକ ପଦକ୍ଷେପ ଯଥା ଫସଲ ଯୋଜନା, ବିହନ, ଜମି ପ୍ରସ୍ତୁତି, ବିହନ ଲଗାଇବା ଠାରୁ ଆରମ୍ଭ କରି ଅନ୍ତଃଚାଷ, ଖାଦ୍ୟସାର ଓ କୀଟରୋଗ ପରିଚାଳନା, ତୃଣକ ପରିଚାଳନା, ଅମଳ, ଅମଳ ପରବର୍ତ୍ତୀ ଯତ୍ନ, ଶସ୍ୟ ସାଇତା ଏବଂ ପ୍ରକ୍ରିୟାକରଣ ତଥା ବିପଣନ ଆଦି ବୈଜ୍ଞାନିକମାନଙ୍କ ପାଇଁ ଗବେଷଣାର ଏକ ବିଷୟବସ୍ତୁ ଭାବେ ରହିବ ଏବଂ ସଂପ୍ରସାରଣ କର୍ମୀମାନଙ୍କୁ ତାଲିମ ପ୍ରଦାନର ଏକ ଅଂଶବିଶେଷ ହେବ । କୃଷିର ପ୍ରତ୍ୟେକ ସୋପାନର କାର୍ଯ୍ୟକ୍ଷମତାକୁ ନିଶ୍ଚିତ କରୁଥିବା ପଦ୍ଧତି ଓ ବୈଷୟିକ ଜ୍ଞାନ ନିରୂପଣ କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରାଯିବ ।
୧୬. ସଂପ୍ରସାରଣ ପଦ୍ଧତିକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଜନାବଦ୍ଧ ଗବେଷଣା ସଂପ୍ରସାରଣ ଯୋଜନା (Strategic Research Extension Plan – SREP) ପ୍ରସ୍ତୁତ କରାଯିବ । ଏହା ବ୍ଳକ ଓ ଜିଲ୍ଲାସ୍ତରରେ ନିମ୍ନସ୍ତରରୁ ଯୋଜନା ପ୍ରସ୍ତୁତିରେ ସହାୟକ ହେବ ।
୧୭. ଫସଲ ବୀମା ଯୋଜନା/ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଂପ୍ରସାରିତ କରି ବୀମାଭୁକ୍ତ ଫସଲ ଓ ଆୟତନ ବୃଦ୍ଧି କରାଯିବ । ଯେଉଁଠାରେ ବି ସମ୍ଭବ ହେବ ପାଣିପାଗ ଭିତ୍ତିକ ଫସଲବୀମାକୁ ପ୍ରୋତ୍ସାହିତ କରାଯିବ ।
୧୮. ଭାରତ ସରକାର ଓ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରାଯାଇ ପନିପରିବା ଓ ଫଳ ଚାଷ ପାଇଁ ଏକ ବ୍ୟାପକ ତଥା ପୃଥକ ବୀମା ପ୍ରବର୍ତ୍ତନ କରାଯିବ ।
୧୯. ସମସ୍ତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କୌଶଳ/ଯୋଜନା ଗୁଡିକରେ ଅଗ୍ରୀମ ପ୍ରସ୍ତୁତି, ପ୍ରତିରୋଧ ଓ ଥଇଥାନ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ ।
୨୦. ଶାସନ ବ୍ୟବସ୍ଥାର ଉନ୍ନତି ଏହି ନୀତି କାର୍ଯ୍ୟାନ୍ୱୟନ କରିବାରେ ପ୍ରମୁଖ ଭୂମିକା ତୁଲାଉଥିବା ଲକ୍ଷ୍ୟ କରାଯାଇଛି । ତେଣୁ ବିଭିନ୍ନ ସରକାରୀ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଏକ ବଳିଷ୍ଠ ପ୍ରଶାସନିକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ । ଗ୍ରାମ, ଗ୍ରାମପଞ୍ଚାୟତ ଓ ବ୍ଳକର ସମସ୍ତ କାର୍ଯ୍ୟକୁ ଗୋଟିଏ ସ୍ଥାନରେ କେନ୍ଦ୍ରିଭୂତ କରାଯିବ ଯାହା ଫଳରେ ଚାଷୀମାନେ ଗୋଟିଏ ସ୍ଥାନରୁ ସମସ୍ତ ସୁବିଧା ପାଇପାରିବେ ।
୨୧. ତଳ/ନିମ୍ନ ସ୍ତରରେ ଏହି ଏକୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ଳକସ୍ତରର ସମସ୍ତ କୃଷି, ଉଦ୍ୟାନକୃଷି, ପ୍ରାଣୀସଂପଦ, ମତ୍ସ୍ୟ ବିକାଶ, କୃଷି ବିପଣନ ଓ ଅନ୍ୟ ପ୍ରଯୁଜ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ନିମନ୍ତେ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରଯୁକ୍ତିବିଦ୍ୟା ଯୁକ୍ତ ସମନ୍ୱିତ କାର୍ଯ୍ୟାଳୟ ସ୍ଥାପନ କରାଯିବ ।
୨୨. ଯୋଜନାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ, କୃଷି ସମ୍ପର୍କିତ ଦିଆଯାଉଥିବା ଅନୁଦାନକୁ ତାର ଫଳାଫଳ ଆଧାରରେ ମୂଲ୍ୟାୟନ କରାଯିବ । ଏଥିପାଇଁ ପର୍ଯ୍ୟବେକ୍ଷଣ ବା ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯିବ ଓ କୃଷି ତଥା ଆନୁସଙ୍ଗିକ ବିଭାଗର କାର୍ଯ୍ୟଦକ୍ଷତା ଅନୁଶୀଳନ କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ଏବଂ ଯଦି କୌଣସି ତ୍ରୁଟି ବା ବିଫଳତା ଲକ୍ଷ୍ୟ କରାଯାଏ ତାର ସଂଶୋଧନ ପାଇଁ ବ୍ୟବସ୍ଥା କରାଯିବ ।
୨୩. ଓଡ଼ିଶାର ବିକେନ୍ଦ୍ରିକୃତ ଶାସନ ବ୍ୟବସ୍ଥା ଯେଉଁଥିରେ ଗ୍ରାମପଞ୍ଚାୟତ ସମସ୍ତ ପ୍ରମୁଖ ଉନ୍ନୟନମୂଳକ ଯୋଜନା ବା କାର୍ଯ୍ୟକ୍ରମ ପରିଚାଳନା କରିଥାଏ ସେଥିରେ ଉଦ୍ଦେଶ୍ୟ ସାଧନ ନିମନ୍ତେ ସଦ୍ୟ ପ୍ରଚଳିତ ନୀତିକୁ ସଠିକ୍ ଓ ଦକ୍ଷତାର ସହ କାର୍ଯ୍ୟାନ୍ୱୟନ କରାଯିବ ।
୨୪. କୃଷି କୌଶଳର ସ୍ୱରୂପ ପରିବର୍ତ୍ତନ ଓ ଏକ ଉନ୍ନତ କୃଷିନୀତି ପ୍ରସ୍ତୁତି ପାଇଁ ତଥ୍ୟ ଓ ବୈଷୟିକ ତଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।୨୫. ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ସହିତ କୃଷକଙ୍କ ଆୟ ବୃଦ୍ଧି କରିବା ଓ ସେମାନଙ୍କର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ‘ଓଡ଼ିଶା ଜୈବ କୃଷି ନୀତି-୨୦୧୮’କୁ କାର୍ଯ୍ୟାନ୍ୱୟନ କରାଯିବ। ଜୈବ କୃଷି ଆୟତନ ଆଗାମୀ ପାଞ୍ଚ ବର୍ଷରେ ୨୦,୮୦୦ ହେକ୍ଟରରୁ ଅନ୍ୟୁନ୨,୦୦,୦୦୦ ହେକ୍ଟରକୁ ବୃଦ୍ଧି କରାଯିବ ।