

ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ଏହି ଗଛର ସମସ୍ତ ଅଂଶ ପିତା ଲାଗେ ଓ ସମସ୍ତ ଅଁଶ କୁ ଔଷଧିୟ ରୂପେ ବ୍ୟବହାର କରାଯାଏ, ସମସ୍ତ ଅଂଶରୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ କରାଯାଏ। ଦେଶୀୟ ଚିକିତ୍ସାରେ ସାଧାରଣ ଲୋକମାନେ ବହୁ ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଭୂଇଁ ନିମ୍ବ ଗଛର ଉଚ୍ଚତା ୧-୨ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହା ଆମ ଦେଶର ପ୍ରାୟତ ସବୁ ଜାଗାରେ ମିଳିଥାଏ ।
ଭୂଇଁ ନିମ୍ବ ର ଆକୃତି
ଭୁଇଁନିମ୍ବ ଏକ ରୁ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ଏକ ତୃଣ ଜାତୀୟ ଉଦ୍ଭିଦ । ଏଥିରେ ଧଳାରଙ୍ଗର ଫୁଲ ଫୁଟିଥାଏ ଏବଂ ଫୁଲର ପାଖୁଡାରେ ବାଇଗଣି ରଙ୍ଗର ଦାଗ ପଡିଥାଏ । ଫଳଗୁଡିକ, ଲମ୍ବା ଆକୃତି ପାଚିଗଲେ ଶୁଖି ଫାଟିଯାଇ କ୍ଷୁଦ୍ରଆକୃତି ହଳଦିଆ ବର୍ଣ୍ଣର ମଞ୍ଜି ବାହାରିଥାଏ ।
ଏହି ଲିଙ୍କ ମାଧ୍ୟମରେ ଆପଣ ଭୂଇଁ ନିମ୍ବ (andrographis paniculata ) ସମ୍ବନ୍ଧିତ କିଛି ଉପାଦାନ ପାଇପାରିବେ…https://amzn.to/39fSOKa
ଔଷଧୀୟ ଗୁଣ ଓ ପ୍ରୟୋଗ
ଭୁଇଁନିମ୍ବ ଗଛର ପଞ୍ଚଙ୍ଗାରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଥାଏ। ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ ଥାଏ। ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ ।ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ,ପେଟ ରୋଗ ,ଚର୍ମଜନିତ ରୋଗ ରୁ ଉପଶମ ପାଇଁ ବ୍ୟବହାର କରାଯାଏ । ଶୁଷ୍କ ପଞ୍ଚାଙ୍ଗ ବ୍ୟତୀତ ବଜାରରେ kalmegh mother tincture ମଧ୍ୟ ମିଳିଥାଏ । ଭୂଇଁ ନିମ୍ବ ଗଛ ପତ୍ରରୁ ୧୦ ମି.ଲି ନେଇ ରସ ବାହାର କରି ୨୫୦ ମି.ଲି ପାଣିରେ ମିଶାଇ ଫୁଟାନ୍ତୁ । ୩ ଭାଗ କରି ଦିନକୁ ୩ଥର ପିଇଲେ ଜ୍ୱରରୁ ଉପଶମ ମିଳେ ।
ଭୂଇଁ ନିମ୍ବ ଗଛରୁ ୫-୬ ଗ୍ରାମ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇଲେ କୋଷ୍ଠବଦ୍ଧତା ଦୂର ହୁଏ । ଭୂଇଁ ନିମ୍ବର ଶୁଖିଲା ଗୁଣ୍ଡ ୩-୫ ଗ୍ରାମକୁ ପାଣିରେ ମିଶାଇ
୩-୪ ଦିନ ନିୟମିତ ଭାବେ ପିଇଲେ ସମସ୍ତ ଚର୍ମରୋଗରୁ ଲାଭ ମିଳିଥାଏ ।
ଭୂଇଁ ନିମ୍ବ ରସକୁ ୫-୧୦ ମି.ଲି କିମ୍ବା ଗୁଣ୍ଡ କରି ସେଥିରୁ ୨-୩ ଗ୍ରାମ ମାତ୍ରାରେ ନିୟମିତ ଭାବରେ ୨-୪ ଦିନ ଖାଇଲେ ଯକୃତ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ଏହାର ରସରୁ ୫-୧୦ ମି.ଲି ନେଇ ମହୁ ସହିତ ମିଶାଇ ପିଇଲେ ଶରୀରରୁ କୃମି ନଷ୍ଟ ହୋଇଥାନ୍ତି ।
ଏହାର ଗୁଣ୍ଡକୁ ୩-୫ ଗ୍ରାମ ନେଇ ସକାଳେ ଖାଲି ପେଟରେ ଖାଇଲେ ମଧୁମେହ ରୋଗରୁ ଉପଶମ ମିଳେ । ଭୂଇଁ ନିମ୍ବ ରସ ୧ଚାମଚ କିମ୍ବା ଗୁଣ୍ଡରୁ ୨-୩ ଗ୍ରାମ ନେଇ ପାଣି ସହ ମିଶାଇ ଖାଇଲେ ରକ୍ତ ସମସ୍ୟା ଦୂର ହୁଏ ।
ଚାଷପ୍ରଣାଳୀ ପାଇଁ ଜଳବାୟୁ ଓ ମୃତ୍ତିକା କିପରି ହେବା ଦରକାର
ଭୁଇଁନିମ୍ବ କରିବା ପାଇଁ ଉଷ୍ମ କଟିବନ୍ଧୀୟ ଜଳବାୟୁ ଉପଯୁକ୍ତ ।ଏହାକୁ ଭାରତର ଶୁଷ୍କ ପ୍ରଦେଶମାନଙ୍କରେ ଚାଷ କରାଯାଇପାରିବ । ଏହା ନରମ ହାଲକା ମାଟି ବିଶେଷତଃ ବାଲିଆ ଦୋରସା ମାଟିରେ ଛାଇ ଜାଗାରେ ଭଲ ବଢିପାରେ । ଏଥିପାଇଁ ମାଟିର ପି.ଏଚ. ୬.୫ ରୁ ୮.୫ ହୋଇଥିବା ଦରକାର ।ଭୁଇଁନିମ୍ବ ଚାଷ କରିବା ପାଇଁ ପ୍ରଥମେ ଜମିକୁ ଭଲଭାବରେ ଗଭୀର ଧାଡି ଓ ସିଧା ଚାଷ କରାଯାଇ ମାଟି ଗୁଣ୍ଡକରି ସମତଳ କରାଯିବା ଆବଶ୍ୟକ । ଏକର ପ୍ରତି ୫ ଟନ ଗୋବର ଖତ ମିଶାଇ ପୁଣି ତା ଉପରେ ମଇ ଚଳାଇ ଦେବା ଆବଶ୍ୟକ । ବର୍ଷାଋତୁରେ ୧-୧ ଫୁଟ ବ୍ୟବଧାନରେ ଚାରା ଗଛକୁ ରୋପଣ କରାଯାଏ । ଏକ ଏକରରେ ୩୦ରୁ ୩୫୦୦୦ ଚାରା ରୋପଣ କରାଯାଇପାରିବ । ରୋପଣ କରିବାର ୨୦-୨୫ ଦିନ ମଧ୍ୟରେ ପ୍ରଥମ ଘାସ ବଛା ଓ ୪୦ ଦିନ ପରେ ଦ୍ଵିତୀୟ ଘାସ ବଛାବଛି କରିବା ଦରକାର । ଗଛ ଲଗାଇବା ପୂର୍ବରୁ ଜମିରେ ଘାସମରା ଔଷଧ ପ୍ରୟୋଗ କରାଗଲେ ଏହା ଫଳପ୍ରଦ ହେବ ।
ଜଳସେଚନ ଓ ସାର ପ୍ରୟୋଗ
ବର୍ଷା ଋତୁରେ ରୋପଣ ଫସଲ ହେତୁ ଏହାର ଜଳସେଚନର ଅବଶ୍ୟକତା ନାହିଁ । କିନ୍ତୁ ଯଦି ବର୍ଷାନହୁଏ ତେବେ ୧୫-୨୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କରାଯିବା ଉଚିତ । ଏହା ଛଡା ଗଛର ଭଲ ଅଭିବୃଦ୍ଧି ପାଇଁ ଗଛ ଲଗାଇବାର ୩୦-୪୦ ଦିନ ମଧ୍ୟରେ ଏକର ପ୍ରତି ୧୨ କିଗ୍ରା ବାଇଓଜାଇମ ଗ୍ରେନୁଲସ ଦିଆଯିବା ଉଚିତ । ଏହି ଗଛ ଅତିରିକ୍ତ ତିକ୍ତ ହୋଇଥିବାର ଏଥିରେ ପ୍ରାୟ ପୋକ ଲାଗନ୍ତି ନାହିଁ ।
ଅମଳ
ଚାରା ରୋପଣର ୬୫ ଦିନ ପରେ ଏଥିରେ ଧଳାରଙ୍ଗର ଫୁଲ ଧରେ ଏବଂ ପ୍ରଥମ ଏହି ଗଛରେ ପତ୍ରାଧିକ୍ୟ ଦେଖାଯାଏ କିନ୍ତୁ ଗଛରେ ଫୁଲ ଫଳ ଧରିବା ପରେ ଉପର ପତ୍ରସବୁ ଝଡିଯାଏ । କେବଳ ଗଛ ତଳ ଅଂଶରେ ପତ୍ର ଥାଏ । ଫୁଲ ଫଳ ଧରିବା ଆରମ୍ଭ ହେଲେ ଗଛଗୁଡିକ ଉପାଡି ଅମଳ କରିବା ଉଚିତ । କାରଣ ଏହି ଅବସ୍ଥାରେ ଗଛର ପଞ୍ଚାଙ୍ଗ ମିଳିଥାଏ ।ଏହାକୁ ସେପ୍ଟେମ୍ବର – ଅକ୍ଟୋବର ମାସରେ ଅମଳ କରାଯାଏ ।ଯଦି ଜଳସେଚନର ସୁବିଧା ଥାଏ ତେବେ ସେପ୍ଟେମ୍ବର ଅକ୍ଟୋବରରେ ଗଛଗୁଡିକୁ ନ ଉପାଡି ମାଟି ଉପରେ କାଟିଦିଆଯାଏ ଏହାର ପଞ୍ଚାଙ୍ଗକୁ ଶୁଖାଯାଏ । ତା ପରେ ଜମିରେ ଜଳସେଚନ କଲେ ଚେରରୁ ପୁଣି ନୂତନ ଶାଖା ବାହାରିଥାଏ ଓ ୫୦ -୬୦ ଦୋମ ମଧ୍ୟରେ ଫୁଲ ଫଳ ଧରିଥାଏ । ଏହି ଅବସ୍ଥାରେ ଗଛକୁ ଉପାଡି ମାର୍ଚ୍ଚ ମାସରେ ଅମଳ କରାଯାଏ ।

